ଭୁବନେଶ୍ବର: ବିଜେପି ସମ୍ବଲପୁରରେ ଜାଣିଶୁଣି ପୁଣିଥରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛି । ଓଡ଼ିଶା ବିଜେପିର ଜଣେ ବରିଷ୍ଠ ନେତା ବ୍ୟକ୍ତିଗତ ରାଜନୈତିକ ଉଚ୍ଚାକାଂକ୍ଷା ରଖି ସମ୍ବଲପୁରରେ ଶାନ୍ତି ଭଙ୍ଗ କରିବାକୁ ଉସୁକାଉଛନ୍ତି । ଢେଙ୍କାନାଳ-ଅନୁଗୁଳରୁ ପ୍ରତ୍ୟାଖ୍ୟାତ ହେବା ପରେ ଏହି ନେତା ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଏପରି କରୁଛନ୍ତି । ରାଜନୈତିକ ଆକାଂକ୍ଷା ରଖି ଶାନ୍ତି ବ୍ୟାହତ କରିବାକୁ ଚେଷ୍ଟା କଲେ, ସମ୍ବଲପୁରବାସୀ ବରଦାସ୍ତ କରିବେ ନାହିଁ । ଏହା କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ମୁଖପାତ୍ର ଗୌତମ ବୁଦ୍ଧ ଦାସ । ବିଜେପି ଶାସିତ ରାଜ୍ୟମାନଙ୍କରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ସବୁଠୁ ଅଧିକ ଥିବାବେଳେ, ସେସବୁ ରାଜ୍ୟକୁ ବିଜେପି ଟିମ ପଠାଏ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ।
ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ସମ୍ବଲପୁରବାସୀଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଆନ୍ତରିକ ପ୍ରୟାସ ସାଙ୍ଗକୁ ପୁଲିସ ଓ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ ଫଳରେ ସମ୍ବଲପୁରରେ ଶାନ୍ତି ଓ ସ୍ୱାଭାବିକ ସ୍ଥିତି ଫେରି ଆସିଛି । ଏହାଛଡ଼ା ଗଣ୍ଡଗୋଳକାରୀମାନଙ୍କୁ ମଧ୍ୟ ଗିରଫ କରି ଜେଲକୁ ପଠାଯାଇଛି । ମାତ୍ର ଓଡ଼ିଶା ବିଜେପି ନେତାମାନେ ସମ୍ବଲପୁର ଘଟଣାରେ ଜାଣିଶୁଣି ବିବାଦୀୟ, ଘୃଣା ଉଦ୍ରେକକାରୀ ଏବଂ ଉସୁକାଇଲା ଭଳି ମନ୍ତବ୍ୟ ଦେଇ ଏଠାରେ ପୁଣିଥରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରିବା ସହ ରାଜନୈତିକ ଅଭିସନ୍ଧି ରଖି ବିଜେପି କରୁଥିବା ଏହି ହୀନ ଉଦ୍ୟମକୁ ଶାନ୍ତିପ୍ରିୟ ସମ୍ବଲପୁରବାସୀ ପ୍ରତ୍ୟାଖ୍ୟାନ କରିବେ ।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, କିଛିଦିନ ତଳେ ସମ୍ବଲପୁରରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା । ସମ୍ବଲପୁରବାସୀଙ୍କ ମହାନୀୟତା ଏବଂ ପ୍ରଶାସନ ସହ ଅଭୂତପୂର୍ବ ସହଯୋଗ ଫଳରେ ଏବେ ଏଠାରେ ସଂପୂର୍ଣ୍ଣ ଭାବେ ଶାନ୍ତି ଫେରି ଆସିଛି । ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ଫଳରେ ପୂର୍ବ ଭଳି ଏକ ଭାତୃତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । କିନ୍ତୁ ଦୁର୍ଭାଗ୍ୟଜନକ ବିଷୟ ହେଲା; ଧର୍ମ, ମତ, ସମ୍ପ୍ରଦାୟ ନିର୍ବିଶେଷରେ ସମ୍ବଲପୁରବାସୀ ଅତୀତର ମହାନ ପରାମ୍ପରା, ଐତିହ୍ୟ, ଏକତା ଓ ଭାଇଚାରା ବଜାୟ ରହୁ ବୋଲି ଚାହାନ୍ତି । କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରଖି ସମାଜର ବୃହତ୍ତର ସ୍ୱାର୍ଥକୁ ବଳି ଦେଇ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ବିଜେପିର କିଛି ନେତା ପ୍ରୟାସ ଜାରି ରଖିଛନ୍ତି ।
ପ୍ରସନ୍ନ ଆହୁରି ମଧ୍ୟ କହିଛନ୍ତି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସମ୍ବଲପୁରକୁ ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଉଥିବା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । ବିଜେପି ଶାସିତ ରାଜ୍ୟମାନଙ୍କରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ସବୁଠାରୁ ଅଧିକ ହୁଏ । NCRB ତଥ୍ୟ କହୁଛି ୨୦୧୯ରେ ଘଟିଥିବା ୨୫ଟି ସାମ୍ପ୍ରଦାୟିକ ଗଣ୍ଡଗୋଳ ମଧ୍ୟରୁ ବିଜେପି ଶାସିତ ଉତ୍ତରପ୍ରଦେଶରେ ସର୍ବାଧିକ ୯ଟି, ମହାରାଷ୍ଟ୍ରରେ ୪ଟି ଏବଂ ମଧ୍ୟପ୍ରଦେଶର ୨ଟି ହୋଇଛି । ୨୦୨୧ରେ ସର୍ବାଧିକ ସାମ୍ପ୍ରଦାୟିକ ହିଂସା ହରିଆନାରେ ହୋଇଥିବା ବେଳେ ୨୦୨୨ ଏପ୍ରିଲ ସୁଦ୍ଧା ଗୁଜୁରାଟ ଓ ମଧ୍ୟପ୍ରଦେଶ ସବୁଠୁ ଆଗରେ ରହିଛି । କିନ୍ତୁ ଏହି ସବୁ ବିଜେପି ଶାସିତ ରାଜ୍ୟକୁ ବିଜେପି କେବେ ତ କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଇ ନଥିଲା । ଉତ୍ତରପ୍ରଦେଶର ଲଖିମପୁର ଖେରି ଓ ହାଥରସରରେ ଦୁଇଟି ବଡ଼ ଅଘଟଣ ପରେ ସେସବୁ ସ୍ଥାନରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ବିଜେପି ଟିମ ପଠାଇବା ଦୂରେ ଥାଉ, ଉତ୍ତରପ୍ରଦେଶ ସରକାର ସେଠାକୁ ଅନ୍ୟ ରାଜନୈତିକ ଦଳର ନେତା ଏପରିକି ସାମ୍ବାଦିକଙ୍କ ଯିବାକୁ ବି ବାରଣ କରିଥିଲେ । ତାହେଲେ ସମ୍ବଲପୁରରେ ଅଳ୍ପ ଅବଧି ପାଇଁ ଘଟିଥିବା ଏକ ଅପ୍ରୀତିକର ପରିସ୍ଥିତିକୁ ନେଇ ବିଜେପି ଏତେ ତତ୍ପର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ସମ୍ବଲପୁରରେ ଶାନ୍ତି ଫେରି ଆସିଥିବାବେଳେ ବିଜେପି କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଏଠାରେ ଶାନ୍ତି ବ୍ୟାହତ କରିବାକୁ ଚାହୁଁଛି ବୋଲି ପ୍ରସନ୍ନ ଅଭିଯୋଗ କରିଛନ୍ତି ।
ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି ଯେ, ୨୦୨୪ରେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ବ୍ୟକ୍ତିଗତ ରାଜନୈତିକ ଉଚ୍ଚାକାଂକ୍ଷା ରଖିଥିବା ବିଜେପିର ଜଣେ ବରିଷ୍ଠ ନେତାଙ୍କ ପ୍ରରୋଚନାରେ ସମ୍ବଲପୁରରେ ଏଭଳି ଉଦ୍ୟମ ହେଉଛି । ଏହି ନେତା ଜଣକ ପୂର୍ବରୁ ଢେଙ୍କାନାଳ ଓ ଅନୁଗୁଳରୁ ନିର୍ବାଚନ ଲଢ଼ିବେ ବୋଲି ଇଚ୍ଛା କରି ରାଜନୈତିକ ପାଣିପାଗ ଆକଳନ କରୁଥିଲେ । ମାତ୍ର ସେଠାକାର ଲୋକେ ତାଙ୍କ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରିବାରୁ ସେ ଏବେ ଏହି ଉଦ୍ଦେଶ୍ୟ ନେଇ ସମ୍ବଲପୁର ଆଡ଼େ ମୁହାଁଇଛନ୍ତି । ସେ ଭଲ ଭାବରେ ଜାଣନ୍ତି ଯେ ତାଙ୍କ ସପକ୍ଷରେ ଜନମତ ନାହିଁ । କାରଣ ବିଗତ ବର୍ଷମାନଙ୍କରେ ତାଙ୍କର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପୂରଣ କରିବା ବ୍ୟତୀତ ଓଡ଼ିଶାବାସୀଙ୍କ ପାଇଁ ସେ କିଛି ବି କରିନାହାନ୍ତି । ତେଣୁ ସମ୍ବଲପୁରରେ ନିର୍ବାଚନ ଲଢ଼ିବାକୁ ହେଲେ ତାଙ୍କ ପାଖରେ ଏକମାତ୍ର ରାସ୍ତା ହେଲା, ଯେକୌଣସି ପ୍ରକାରେ ଏଠାରେ ବିଶୃଙ୍ଖଳା ଓ ଗଣ୍ଡଗୋଳର ନିଆଁକୁ ପୁଣିଥରେ ତେଜିବା । ଏହାକୁ ଆଧାର କରି ସେ କିଛି ସମର୍ଥନ ପାଇବେ ବୋଲି ଆଶା ରଖିଛନ୍ତି । ମାତ୍ର ସେ ଜାଣନ୍ତି ନାହିଁ ଯେ ସମ୍ବଲପୁରବାସୀ ହେଉଛନ୍ତି ଶାନ୍ତିପ୍ରିୟ । କିଏ ଏଠି ବିଶୃଙ୍ଖଳା ସୃଷ୍ଟି କଲା, କେମିତି କଲା ଏବଂ ରାଜନୈତିକ ଆକାଂକ୍ଷା ପୂରଣ ଲାଗି କେଉଁମାନେ ଏଠାରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି, ଏହା ସମ୍ବଲପୁରବାସୀ ଦେଖୁଛନ୍ତି । ତେଣୁ ସେମାନଙ୍କ ଶାନ୍ତି ସହ ଖେଳିବାକୁ ଚେଷ୍ଟା କଲେ, ସେମାନେ କେବେବି ଏହାକୁ ବରଦାସ୍ତ କରିବେ ନାହିଁ । ଏପରି ଲୋକଙ୍କୁ ସମ୍ବଲପୁରବାସୀ ଉଚିତ ଜବାବ ଦେବେ । ଏସବୁ ଦେଖି ଓଡ଼ିଶା ବିଜେପିର ଯେଉଁ ନେତାମାନେ ନିରବ ରହୁଛନ୍ତି, ଓଡ଼ିଶାବାସୀ ଏବଂ ସମ୍ବଲପୁରବାସୀ ସେମାନଙ୍କୁ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର