ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ଶୋକରେ ବୁଡିଛି ଝାରସୁଗୁଡା ସମେତ ସାରା ରାଜ୍ୟ । ଏବେ ଯାଏଁ ମିଳି ନାହିଁ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାର କାରଣ । ଏପଟେ ଭୋଟ ଲାଗି ବିବ୍ରତ ହୋଇପଡ଼ିଲାଣି ବିଜୁ ଜନତା ଦଳ । ଶୋକ ସଭାରେ ଭୋଟ ମାଗିବା ଆରମ୍ଭ କରିଦେଇଛନ୍ତି ବିଜେଡି ନେତା ତଥା ରାଉରକେଲା ବିଧାୟକ ସାରଦା ନାୟକ । ବିଜେଡି ବିଧାୟକଙ୍କର ଏଭଳି କାର୍ଯ୍ୟକୁକୁ ସମାଲୋଚନା କରିଛନ୍ତି ବିରୋଧି ।
ନବ ଦାସଙ୍କ ଏକାଦଶ କାର୍ଯ୍ୟ ସାରିନାହିଁ । ତାଙ୍କ ମୃତ୍ୟୁକୁ ସପ୍ତାହେ ବିତିଥିଲେ ବି ହତ୍ୟାକାଣ୍ଡର କାରଣ ଖୋଜି ପାଇନାହିଁ କ୍ରାଇମବ୍ରାଞ୍ଚ । ଏଭଳି ପରିସ୍ଥିତିରେ ଝାରସୁଗୁଡା ଦଖଲ ଲାଗି ସଜବାଜ ହେଲାଣି ବିଜେଡି । ଶୋକସଭା ନାଁରେ ଭୋଟ ଭିକ୍ଷା କଲେଣି ବିଜେଡି ନେତା । ବିଜେଡି ବିଧାୟକ ସାରଦା ନାୟକ ଏକ ଶୋକସଭାରେ କହିଛନ୍ତି, "ଯେକୌଣସି ସମୟରେ ଉପନିର୍ବାଚନ ହେବ । ଏଥିରେ ବିଜେଡିର ବିଜୟ ସୁନିଶ୍ଚିତ ।" ବିଜୟର ମାତ୍ରା ଅଧିକ କରିବା ଲାଗି ଶୋକସଭାରେ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଛନ୍ତି ସାରଦା ।
ସାରଦାଙ୍କ ଭୋଟ ଭିକ୍ଷାକୁ ସମାଲୋଚନା କରିଛନ୍ତି ବିରୋଧି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ଏହା ଏକ ଦୁଃଖର ବିଷୟ । ନବଙ୍କ ଘରେ ଶୋକ ସରିନାହିଁ । ଗଙ୍ଗା ଭୋଜି ମଧ୍ୟ ହୋଇନାହିଁ । ନିର୍ବାଚନ ଘୋଷଣା ହୋଇନାହିଁ । ୯ ଦିନ ବିତିଥିଲେ ବି କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡର କାରଣ ଖୋଜି ପାଇନାହିଁ । ଏହି ସମୟରେ ସମସ୍ତେ ତାଙ୍କ ପରିବାର ସହିତ ଠିଆ ହେବା କଥା । ଏହି ସମୟରେ ବିଜୁ ଜନତା ଦଳ ପ୍ରାର୍ଥୀ ଖୋଜୁଛି । ଏଥିରୁ ଜଣାପଡୁଛି ବିଜୁ ଜନତା ଦଳ ଓ ରାଜ୍ୟ ସରକାରଙ୍କର ସମବେଦନା ନାହିଁ । ଭୋଟ କେମିତି ପାଇବେ ତାଙ୍କର ଚିନ୍ତା ।"
ସେହିଭଳି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, "ନିର୍ବାଚନ ଜିତିବା ବିଜେଡିର ପ୍ରଥମ କଥା । କିଏ ମରିଗଲା କିଏ ହଜିଗଲା ବିଜେଡିର ସେଥିରେ କିଛି ଦୁଃଖ ନଥାଏ । ତାଙ୍କ ଦଳର ଗୋଟିଏ ଚିନ୍ତା ପ୍ରାର୍ଥୀ ଚୟନ କରିବେ ଓ କିପରି ନିର୍ବାଚନ ଜିତିବେ । ସମବେଦନା ହୀନ ବିଜେଡି । କାହାର ମୃତ୍ୟୁରେ ଟିକିଏ ବି ସମବେଦନା ନାହିଁ ।" ସମବେଦନା ଯଦି ଥାଆନ୍ତା, ତେବେ କଣ ବିଜେଡି ନେତା ନବ ଦାସଙ୍କ ଏକାଦଶ ପୂର୍ବରୁ ଏମିତି କହିଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସେପଟେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, "ଝାରସୁଗୁଡା ବିଧାୟକଙ୍କ ମୃତ୍ୟୁ ପରେ ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ଯାହା ହେବାକଥା ହେବ । ନିର୍ବାଚନ କମିଶନ ହିଁ ନିଷ୍ପତ୍ତି ନେବେ ।
ଇଟିଭି ଭାରତ, ଭୁବନେଶ୍ବର