ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ମଶା ଦମନରେ ଭୁବନେଶ୍ବର ମହାନଗର ନିଗମ (BMC) ଓ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତାକୁ ନେଇ ବିଜେପିର ପ୍ରତିବାଦ । ଭୁବନେଶ୍ବରେ ବହୁଳ ଭାବେ ମଶା ଙ୍କ ସଂଖ୍ୟା ବଢ଼ିବା ସହିତ ସାଧାରଣ ଲୋକଙ୍କ ଜୀବନ ଦୟନୀୟ କରିଥିବା ଅଭିଯୋଗ କରି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ କରି ବିଏମସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ପ୍ରତିବାଦ ସଭାରେ ବିଜେପି କର୍ମୀ ମାନେ ମଶାରୀ ଭିତରେ ଭୁବନେଶ୍ବର ମେୟର ଓ କମିଶନରଙ୍କ ମୁଖା ପିନ୍ଧି ଭୁବନେଶ୍ବରବାସୀଙ୍କୁ ମଶା ଦାଉରୁ ବଞ୍ଚାଇବା ପାଇଁ ଅଭିନବ ଢଙ୍ଗରେ ବିକ୍ଷୋଭ କରିଥିଲେ । ବିଏମସି ମଶା ମୁକ୍ତ ନାରେ ବିଭିନ୍ନ ଉପାୟରେ ବା ମଶା ଦମନ ନାରେ ଆସୁଥିବା ଟଙ୍କା ହରିଲୁଟ କରୁଥିବା ବେଳେ ସହର କିନ୍ତୁ ମଶାଙ୍କ କବଳରେ ରହିଛି । ଏହି ଅଭିଯୋଗକୁ ନେଇ ବିଏମସିକୁ ଉତ୍ତର ମାଗିବାକୁ ଯାଇ ବିଏମସି କାର୍ଯ୍ୟାଳୟଙ୍କୁ ଧସେଇ ଫସିଥିଲେ ବିଜେପି କର୍ମୀ ।
ଅନେକ ବିଜେପି କର୍ମୀ ପାଚେରୀ ଡେଇଁ ଅଫିସ କୁ ପଶିବାକୁ ଉଦ୍ଯମ କରିଥିଲେ। ଏହି ସମୟରେ ପୋଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲା । ପୋଲିସ କର୍ମୀ ମାନଙ୍କୁ ବୁଝାଇବା ପରେ ତଳକୁ ଓହ୍ଲାଇଥିଲେ । ଖାଲି ଯୋଜନା ନୁହେଁ ବାସ୍ତବିକ କାର୍ଯ୍ୟକ୍ରମ କରି ସହରକୁ ମଶା ମୁକ୍ତ କରିବାକୁ ବିଜେପି ଦାବି କରିଛି। ଆଉ ସାଧାରଣ ଲୋକଙ୍କ ପଇସାରେ ଭାଷଣବାଜି ନୁହେଁ କି ସେମାନଙ୍କୁ ଶୋଷଣ ନୂହେଁ ବରଂ ସେମାନଙ୍କ ସମସ୍ୟା କୁ ବୁଝି ସହରବାସୀଙ୍କ ହିତରେ କାର୍ଯ୍ୟ କରନ୍ତୁ ବୋଲି ଦଳ ଦାବି କରିଛି ।
ନଚେତ ସହରର ପରିମଳ ବ୍ୟବସ୍ଥାରେ ସୁଧାର ନଆସିବା ପର୍ଯ୍ୟନ୍ତ ବା ସେମାନଙ୍କୁ ମୌଳିକ ସୁବିଧା ନମିଳିବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି କହିଛି ବିଜେପି ।
ଇଟିଭି ଭାରତ, ଭୁବନେଶ୍ବର