ଭୁବନେଶ୍ବର: କୁହାଯାଏ ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ, ମଣିଷ ଯେତେବେଳେ ଜୀବନ-ମରଣ ସହ ଲଢୁଥାଏ ସେବେଳେ ଭଗବାନ ସାଜି ଜୀବନ ରକ୍ଷା କରନ୍ତି ଡାକ୍ତର । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ବର ଏମ୍ସ ହସ୍ପିଟାଲରେ । ଚିକିତ୍ସା କରିବା ସହ ରକ୍ତ ଦେଇ ଜଣେ ପ୍ରସୂତୀ ମହିଳାଙ୍କର ଜୀବନ ବଞ୍ଚାଇ ଦେଇଛନ୍ତି ଡାକ୍ତର ଦେବାଶିଷ ମିଶ୍ର । ସେ ଏମ୍ସ ହସ୍ପିଟାଲର ନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ, ରକ୍ତ ଦାନ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ।
ଘଟଣାଟି ଥିଲା ଏମିତି
ଏକ୍ଟୋପିକ୍ ଗର୍ଭପୀଡ଼ା ଭୋଗୁଥିବା ଜଣେ ମହିଳା ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ଜାରି ରହିଥିବା ବେଳେ ମହିଳାଙ୍କୁ ତୁରନ୍ତ ବି ନେଗେଟିଭ ଗ୍ରୁପର ରକ୍ତ ଆବଶ୍ୟକ ହୋଇଥିଲା । କିନ୍ତୁ ମହିଳାଙ୍କ ରକ୍ତ ଦେବାକୁ ସାଙ୍ଗରେ କେହି ସମ୍ପର୍କୀୟ ନଥିଲେ କିମ୍ବା ତତକ୍ଷଣାତ୍ ରକ୍ତ ଭଣ୍ଡାରରେ ବି ନେଗେଟିଭ ଗ୍ରୁପ୍ର ରକ୍ତ ମଧ୍ୟ ମହଜୁଦ୍ ନଥିଲା । ମାତ୍ର ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଏବଂ ରକ୍ତସ୍ରାବ ହେଉଥିବା ଉକ୍ତ ପ୍ରସୂତୀଙ୍କ ପାଇଁ ତୁରନ୍ତ ରକ୍ତ ଆବଶ୍ୟକ ଥିଲା । ତେଣୁ ଜନନୀ ଯନ୍ତ୍ରଣା ଭୋଗୁଥିବା ଜଣେ ମହିଳାଙ୍କୁ ରକ୍ତ ଦେବାକୁ ଆଗେଇ ଆସିଥିଲେ ଡାକ୍ତର ଦେବାଶିଷ ମିଶ୍ର । ବର୍ତ୍ତମାନ ପ୍ରସୂତୀ ଜଣଙ୍କ ସୁସ୍ଥ ଥିବା ଜଣାପଡିଛି ।
ଏନେଇ ସ୍ତ୍ରୀରୋଗ ବିଶଷଜ୍ଞ କହିଛନ୍ତି ଯେ, ''ସଠିକ୍ ସମୟରେ ଡାକ୍ତର ଦେବାଶିଷ ମିଶ୍ର ରକ୍ତ ଦାନ କରିବାରୁ ପ୍ରସୂତିଙ୍କ ଜୀବନ ବଞ୍ଚାଯାଇଛି, ଯଦି ସେହି ସମୟରେ ଉକ୍ତ ମହିଳାଙ୍କୁ ରକ୍ତ ପ୍ରଦାନ କରାଯାଇନଥାନ୍ତା, ତେବେ କିଛି ବି ଅଘଟଣ ଘଟିବାର ଆଶଙ୍କା ଥିଲା । ଉକ୍ତ ପ୍ରସୂତୀଙ୍କୁ ଏମ୍ସରେ କିଛିଦିନ ଚିକିତ୍ସା ପରେ ଡିସଚାର୍ଜ କରି ଦିଆଯାଇଛି । ବର୍ତ୍ତମାନ ପ୍ରସୂତୀ ଜଣଙ୍କ ସୁସ୍ଥ ରହିଛନ୍ତି ।''
ଏହା ମଧ୍ୟ ପଢନ୍ତୁ-ବିନା ଥଇଥାନରେ ଉଚ୍ଛେଦ ଅଭିଯୋଗ: ତହସିଲଦାରଙ୍କୁ 2 କମି ଚଲାଇଲେ ଗ୍ରାମବାସୀ
ଏନେଇ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ଡାକ୍ତର ଦେବାଶିଷ ମିଶ୍ରଙ୍କ ଏପରି ମହନୀୟ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଏହା ଏକ ଅନୁକରଣୀୟ ଉଦାହରଣ ବୋଲି ପ୍ରକାଶ କରିଛନ୍ତି । ଡାକ୍ତରମାନେ କେବଳ ରୋଗୀମାନଙ୍କର ଚିକିତ୍ସା କରନ୍ତି ନାହିଁ, ବରଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥାଆନ୍ତି । ଏପରି କରି ଡାକ୍ତର ଦେବାଶିଷ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଡାକ୍ତର ବିଶ୍ୱାସ ମତବ୍ୟକ୍ତ କରିଥିଲେ । ଏମ୍ସ ଭୁବନେଶ୍ୱରର ଜଣେ ଡାକ୍ତରଙ୍କ ଏପରି ମାନବତାପୂର୍ଣ୍ଣ ଆଚରଣକୁ ସବୁଠି ପ୍ରଶଂସା କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର