ଭୁବନେଶ୍ବର: IRCTC ଭାରତ ଗୌରବ ଏସି ଟୁରିଷ୍ଟ ଟ୍ରେନ 8 ଦିନିଆ ଯାତ୍ରା ଆରମ୍ଭ କରୁଛି । ଏହା ଜାନୁଆରୀ ୨୫ ତାରିଖରୁ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିବ । ୧୦ଟି ତୃତୀୟ ଶ୍ରେଣୀ ଏସି କ୍ଲାସ କୋଚ୍ ସହିତ ଏହି ଟ୍ରେନରେ ପ୍ରାୟ ୬୦୦ ପର୍ଯ୍ୟଟକ ଯାତ୍ରା କରି ପାରିବେ । ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ ମୁଖ୍ୟ ଆକର୍ଷଣ ସମେତ କୋଣାର୍କ, ଭୁବନେଶ୍ୱର, କାଶୀ, ବୈଦ୍ୟନାଥ ଏବଂ ଗୟା ଆଦି ପ୍ରମୁଖ ସ୍ଥାନ ଯାତ୍ରାରେ ସାମିଲ ହେବ ।
ତେବେ ଯାତ୍ରା ସମୟରେ ଗାଜିଆବାଦ, ଅଲିଗଡ଼, ଟୁଣ୍ଡୱା, ଇଟାୱା, କାନପୁର ଓ ଲକ୍ଷ୍ନୌ ଷ୍ଟେସନରେ ଟ୍ରେନ ଧରି ପାରିବେ କିମ୍ବା ଓହ୍ଲାଇ ମଧ୍ୟ ପାରିବେ ଯାତ୍ରୀ । ଟୁରିଷ୍ଟ ଟ୍ରେନରେ ସମସ୍ତ ସୁବିଧା ଉପଲବ୍ଧ ଥିବା ସହ ପ୍ୟାଣ୍ଟ୍ରି କାର ମଧ୍ୟ ରହିଛି । ଯାହାକି ପର୍ଯ୍ୟଟକମାନଙ୍କୁ ସଦ୍ୟ ଶାକାହାରୀ ଖାଦ୍ୟ ଯୋଗାଇଥାଏ । ଯାତ୍ରା ସମୟରେ ମନୋରଞ୍ଜନର ବ୍ୟବସ୍ଥା, ସିସିଟିଭି କ୍ୟାମେରା, ସିକ୍ୟୁରିଟି ଗାର୍ଡ ସେବା ମଧ୍ୟ ଉପଲବ୍ଧ ରହିଛି । ଏହି ପ୍ରସ୍ତାବିତ ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଯାତ୍ରାର ପ୍ରଥମ ରହଣୀ ପ୍ରାଚୀନ ପବିତ୍ର ବାରାଣାସୀ ସହର ରହିଛି । ଯେଉଁଠାରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗାଘାଟ ଏବଂ ଆରତୀସ୍ଥଳ ଆଦି ପରିଦର୍ଶନ କରିପାରିବେ ।
ବାରାଣାସୀ ପରେ ଟ୍ରେନ ଝାରଖଣ୍ଡର ଯଶିଡିହି ରେଳଷ୍ଟେସନକୁ ଯାତ୍ରା ଆରମ୍ଭ କରିବ ଏବଂ ପର୍ଯ୍ୟଟକମାନେ ବୈଦ୍ୟନାଥ ଧାମ ଜ୍ୟୋର୍ତିଲିଙ୍ଗ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ପାଇବେ । ଏହା ପରେପରେ ଟ୍ରେନ ଯଶିଡିହି ରେଳଷ୍ଟେସନରୁ ଓଡ଼ିଶାର ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ପୁରୀଠାରେ ପର୍ଯ୍ୟଟକଙ୍କ ହୋଟେଲରେ ୨ ରାତି ପାଇଁ ରହିବାର ବ୍ୟବସ୍ଥା କରାଯାଇଛି । ପୁରୀରେ ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣ ବେଳାଭୂମି, କୋଣାର୍କର ସୂର୍ଯ୍ୟମନ୍ଦିର ଏବଂ ଭୁବନେଶ୍ୱରର ମନ୍ଦିରଗୁଡ଼ିକ ଦର୍ଶନ କରିବାର ସୁଯୋଗ ପାଇପାରିବେ । ପୁରୀ ପରେ ଗୟା ହେବ ଟ୍ରେନର ଶେଷ ଗନ୍ତବ୍ୟସ୍ଥଳ ଯେଉଁଠି ବିଷ୍ଣୁପାଦ ମନ୍ଦିରରେ ଯାତ୍ରାର ସମାପନ ଘଟିବ । ୮ ଦିନିଆ ଯାତ୍ରା ଶେଷ କରି ଟ୍ରେନ ଫେବୃଆରୀ ୧ ତାରିଖରେ ଦିଲ୍ଲୀରେ ପହଞ୍ଚିବ ।
ଆଧୁନିକ ଶୈଳୀର ଶୀତତାପ ନିୟନ୍ତ୍ରକ ରେକ୍ ବିଶିଷ୍ଟ ଏହି ଟୁରିଷ୍ଟ ଟ୍ରେନରେ ଯାତ୍ରା ସମୟରେ ଗାଜିଆବାଦ, ଅଲିଗଡ଼, ଟୁଣ୍ଡଲା, ଇଟାୱା, କାନପୁର ଏବଂ ଲକ୍ଷ୍ନୌ ଷ୍ଟେସନରେ ବୋର୍ଡ/ ଡି-ବୋର୍ଡର ସୁବିଧା ମଧ୍ୟ ରହିବ । ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଟୁରିଷ୍ଟ ଟ୍ରେନ୍ରେ ୧୧ଟି ତୃତୀୟ ଶ୍ରେଣୀ ଏସି କୋଚ, ଗୋଟିଏ ପାଣ୍ଟ୍ରି କାର ଏବଂ ଦୁଇଟି ଏସ୍ଏଲ୍ଆର୍ ରହିବ । ସଦ୍ୟ ରନ୍ଧା ଶାକାହାରୀ ଖାଦ୍ୟ ଆଧୁନିକ ପାଣ୍ଟ୍ରିରୁ ନିଜନିଜ ସ୍ଥାନରେ ପରିବେଷଣ କରାଯିବ । ଟ୍ରେନ୍ରେ ଯାତ୍ରୀମାନଙ୍କ ମନୋରଞ୍ଜନ ଓ ସର୍ବସାଧାରଣ ସୂଚନା ପାଇଁ ଇନ୍ଫୋଟେନ୍ମେଣ୍ଟ ସିଷ୍ଟମ ମଧ୍ୟ ଲଗାଯାଇଛି । ପରିଷ୍କାର ଶୌଚାଳୟଠାରୁ ଆରମ୍ଭ କରି ସିସିଟିଭି କ୍ୟାମେରା ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ କୋଚ୍ରେ ସିକ୍ୟୁରିଟି ଗାର୍ଡର ବ୍ୟବସ୍ଥା ରହିଛି ।
ତେବେ ଘରୋଇ ପର୍ଯ୍ୟଟନର ପ୍ରସାର କରିବା ଦିଗରେ ଭାରତ ସରକାରଙ୍କ ‘ଦେଖୋ ଅପ୍ନା ଦେଶ’ର ଏକ ଅଂଶ ଭାବେ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି । ପ୍ରତି ପର୍ଯ୍ୟଟକ ପିଛା ୧୭,୬୫୫/- ଟଙ୍କା ଠାରୁ ଆରମ୍ଭ ହୋଇଛି । ଆଇଆର୍ସିଟିସି ଟୁରିଷ୍ଟ ଟ୍ରେନ ହେଉଛି ଏକ ସର୍ବଭାରତୀୟ ଟୁର୍ ପ୍ୟାକେଜ । ଏଥିସହ ତୃତୀୟ ଶ୍ରେଣୀ ଏସି ଟ୍ରେନ ଯାତ୍ରା, ହୋଟେଲରେ ରାତ୍ରି ଯାପନ, ସମସ୍ତ ଭୋଜନ(ଶାକାହାରୀ), ଦର୍ଶନ ଓ ଭ୍ରମଣ ବୀମା ଏବଂ ଗାଇଡ୍ ସେବା ଇତ୍ୟାଦି ଏହି ଟ୍ରେନରେ ଅନ୍ତର୍ଭୁକ୍ତ ରହିଛି । ସମସ୍ତ ପ୍ରକାର ଆବଶ୍ୟକୀୟ ସ୍ୱାସ୍ଥ୍ୟ ସଚେତନତା ପଦକ୍ଷେପ ଗ୍ରହଣ କରାଯିବା ସହ ଅତିଥିମାନଙ୍କୁ ଏକ ନିରାପଦ ତଥା ସ୍ମରଣୀୟ ଅନୁଭୂତି ପ୍ରଦାନ କରିବାକୁ IRCTC ପ୍ରୟାସ କରିବ ।
ଇଟିଭି ଭାରତ, ଭୁବନେଶ୍ବର