ଖୋର୍ଦ୍ଧା: ସରକାରୀ ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିମାନଙ୍କ କଥାକୁ ବିଡିଓ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି । ନିର୍ବଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସବୁ କାର୍ଯ୍ୟରେ ବ୍ଲକ କର୍ତ୍ତୃପକ୍ଷ ଅନ୍ଧାରରେ ରଖୁଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବେଗୁନିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅନେକ ସମିତିସଭ୍ୟ ।
ଅଭିଯୋଗ ଅନୁଯାୟୀ ପଞ୍ଚାୟତ ସମିତି ବୈଠକକୁ ସଠିକ ସମୟରେ ବିଧି ବ୍ୟବସ୍ତା ଅନୁଯାୟୀ କରାଯାଉନାହିଁ । ପଞ୍ଚାୟତ ସମିତି ପରିସରରେ ହେଉଥିବା ଊନ୍ନୟନମୂଳକ କାର୍ଯ୍ୟରେ ଅନେକ ମନମାନୀ ହେଉଛି । ସେହିଭଳି 5T ସ୍କୁଲ ଗୁଡିକରେ ହେଉଥିବା ନିର୍ମାଣ କାର୍ଯ୍ୟରେ ବିଡିଓଙ୍କ ଦ୍ବାରା ଠିକାଦାର ନିଯୁକ୍ତି ଭଳି ଅନେକ କାର୍ଯ୍ୟକୁ ନିର୍ବଚିତ ସମିତିସଭ୍ୟ ଓ ବ୍ଲକ ଅଧ୍ୟକ୍ଷଙ୍କ ଅଗୋଚରେ କରାଯାଉଥିବା ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।
ଏହି ଘଟଣାକୁ ତୁରନ୍ତ ବିଚାରକୁ ନେବାକୁ ଦାବି କରିଛନ୍ତି ବେଗୁନିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅନେକ ସମିତିସଭ୍ୟ । ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବେଗୁନିଆ ବ୍ଲକ ଉନ୍ନୟନ ଅଧିକାରୀ । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଏବଂ ଏହାର କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା