ଖୋର୍ଦ୍ଧା : ମହାମାରୀ କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କିଛି ଅମାନିଆ ଏହି ନିଷ୍ପତ୍ତିକୁ ଭୃକ୍ଷେପ କରୁନାହାନ୍ତି। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏହାର ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି ବାଣପୁର ତହସିଲଦାର ।
ସୋମବାର ବାଣପୁର ତହସିଲଦାର ଓ ନାଚୁଣି ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ମିଳିତ ଭାବେ ନାଚୁଣି ବଜାର ଓ ଏହାର ଆଖ ପାଖ ଅଞ୍ଚଳରେ ମିଳିତ ଭାବେ ଚଢ଼ାଉ କରି ମାସ୍କ ପିନ୍ଧି ନଥିବା ଏବଂ ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରୁଥିବା 21 ଜଣ ବ୍ୟକ୍ତିଙ୍କ ଠାରୁ 10 ହଜାର 500 ଟଙ୍କା ଫାଇନ୍ ଆଦାୟ କରିଛନ୍ତି । ଏହା ସହ ସାଧାରଣ ଲୋକଙ୍କୁ ସଚେତନ ମଧ୍ୟ କରିଛନ୍ତି ତହସିଲଦାର। ବିନା କାମରେ ଘରୁ ନବାହାରିବା ତଥା ଘରୁ ବାହାରିଲେ ମାସ୍କ ଏବଂ ସାମାଜିକ ଦୂରତ୍ବର ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହା ସହ ଆଗାମୀ ଦିନରେ ମାସ୍କ ଏବଂ ସାମାଜିକ ଦୂରତାର ଉଲଂଘନ କଲେ 1000 ଟଙ୍କାର ଫାଇନ ଆଦାୟ କରାଯିବା ନେଇ ଚେତାବନୀ ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ