ଖୋର୍ଦ୍ଧା: ବାଣପୁର ଦକ୍ଷ ପ୍ରଜାପତି ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣାରେ ସଫଳତା ମିଳିଛି । ମାସେ ପରେ ପୋଲିସ 4 ଜଣ ରାଜ୍ୟ ବାହାରର ଚୋରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ତେବେ ତାଙ୍କଠାରୁ 9 ଟି ବିରଳ ଦେବାଦେବୀଙ୍କ ମୂର୍ତ୍ତି ସହ 4ଟି ମୂର୍ତ୍ତିକୁ ତରଳ ଯାଇଥିବା ଧାତୁକୁ ଉଦ୍ଧାର କରାଯାଇଛି ।
ଚୋରି କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଚୋର ରାଜସ୍ଥାନ ବୋଲି ଜଣାପଡିଛି । ଗିରଫ ହୋଇଥିବା ଚୋର ହେଉଛନ୍ତି ମୁକେଶ ଚନ୍ଦ୍ର ମୀନା, କୈଳାସ ଚନ୍ଦ୍ର ମୀନା, ଚୁତାନ ମୀନା ଓ ମନୋଜ କୁମାର ମୀନା । ଚୋରମାନେ ବିଦ୍ୟୁତ୍ ଖୁଣ୍ଟ ପୋତିବା ଆଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବୁଲାବୁଲି କରି ଚୋରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ସହିତ ମନ୍ଦିର ଉପରେ ନଜର ରଖୁଥିଲେ । ଏହାପରେ ସେହି ସ୍ଥାନକୁ ଆସି ଲୁଟ୍ପାଟ୍ କରୁଥିଲେ ।
ଗତ ଡିସେମ୍ଵର ମାସ 22 ତାରିଖରେ ବାଣପୁରର ପ୍ରସିଦ୍ଧ ଦକ୍ଷ ପ୍ରଜାପତି ମନ୍ଦିରରୁ ଏହି ଚୋରମାନେ ବିଭିନ୍ନ ବିରଳ ମୂର୍ତ୍ତିକୁ ଚୋରି କରିଥିଲେ । ଜିଲ୍ଲା ପୋଲିସର ଅନେକ ଦକ୍ଷ ଅଧିକାରୀ ଏହି ମୂର୍ତ୍ତି ଚୋରି ଘଟଣାର ଅନୁସନ୍ଧାନ କରି ମୁଖ୍ୟ ଅଭିଯୁକ୍ତ କୈଳାସ ଚନ୍ଦ୍ର ମୀନାଙ୍କୁ ଗିରଫ କରିଛି । କୈଳାସ ଠାରୁ ମିଳିଥିବା ସୂଚନାକୁ ଆଧାର କରି ପୋଲିସ ଅନ୍ୟ ଚୋରମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ତେବେ ଏ ସମ୍ପର୍କରେ ଶନିବାର ବାଣପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ