ଭୁବନେଶ୍ବର : ରାଜଧାନୀରେ ଗର୍ଜିଲେ ପାଚିକା । ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ ପକ୍ଷରୁ ଧାରଣା ଓ ବିକ୍ଷୋଭ । ୭ ଦଫା ଦାବି ନେଇ ୩୦ଟି ଜିଲ୍ଲାର ପାଚିକା ମାଷ୍ଟର କ୍ଯାଣ୍ଟିନ ଠାରୁ ବିଶାଳ ଶୋଭାଯାତ୍ରାରେ ଆସି ଗାନ୍ଧୀ ମାର୍ଗରେ ଗର୍ଜିଥିଲେ । ସରକାର ୭ଦଫା ଦାବୀ ପୂରଣ କର ବୋଲି ସ୍ଲୋଗାନ ଦେଇଥିଲେ ।
ବିଶେଷ ଭାବେ ଦିନିକିଆ ପାରିଶ୍ରମିକ ୧୦୦ ଟଙ୍କା ହିସାବରେ ମାସକୁ ଦରମା ୩ ହଜାର କରନ୍ତୁ ଓ ଜୀବନ ବୀମା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ଦିଅନ୍ତୁ ବୋଲି ପାଚିକା ମହାସଂଘ ଦାବି କରିଛି । ସ୍ୱଳ୍ପ ଦରମାରେ ପରିବାର ପ୍ରତିପୋଷଣ କଷ୍ଟସାଧ୍ୟ ହୋଇପଡୁଛି । ତେଣୁ ସରକାର ଆମ ପ୍ରତି ଧ୍ୟାନ ଦିଅନ୍ତୁ ଓ ଆମର ଦୁଃଖ ଶୁଣନ୍ତୁ ବୋଲି କହିଛି ସଂଘ ।
ଅନ୍ୟପଟେ ବାରମ୍ଵାର ଗୁହାରି ନେଇ ଆସୁଥିବା ବେଳେ ସବୁଥର ପ୍ରତିଶୃତି ମିଳୁଛି ହେଲେ କାର୍ଯ୍ୟକାରୀ ହେଉନି । ତେଣୁ ଏଥର ଆମେ ସରକାରଙ୍କୁ ଅନୁରୋଧ କରୁଛୁ ଆମ ଦାବି ପୂରଣ କରନ୍ତୁ । ନହେଲେ ଆମେ ଧାରଣାରୁ ଉଠିବୁ ନାହୁଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଆନ୍ଦୋଳନକାରୀ । ଏ ସମ୍ପର୍କରେ ପାଚିକା ମହାସଂଘର ସଦସ୍ୟା କହିଛନ୍ତି '' ଦୀର୍ଘ ୨୪ ବର୍ଷ ହେବ ଆମେ ଯେତେବେଳେ ଶହ ଶହ ଛୁଆଙ୍କ ପେଟର କଥା ବୁଝୁଛୁ ସରକାର ଆମର କଥା ବୁଝନ୍ତୁ । ଆମେ ଶହ ଶହ ଛୁଆଙ୍କ ଅଇଁଠା ଥାଳି ମାଜୁଛୁ , ସେମାନଙ୍କର ଯତ୍ନ ବି ନେଉଛୁ ହେଲେ ସରକାର ଆମ ମନକଥା ବୁଝି ପାରୁନାହାଁନ୍ତି ।
ଆମର ଦାବି ସରକାର ପୂରଣ କରନ୍ତୁ । ସକାଳ 10 ଟା ବାଜିଲେ ଆମେ ଆସି ନିଜ କାମ ଆରମ୍ଭ କରୁ । ଅପରାହ୍ଣ 4ଟା ବାଜିଲେ ଆମକୁ ଛୁଟି ମିଳେ । ଦୀର୍ଘ 7 ଘଣ୍ଟା ଆମେ କାମ କରୁ । ହେଲେ ସରକାର ଆମକୁ ଅବହେଳା କରୁଛନ୍ତି । ତେଣୁ ସରକାର ଆମକୁ ଦିନିକିଆ ପାରିଶ୍ରମିକ ୧୦୦ ଟଙ୍କା ହିସାବରେ ମାସକୁ ଦରମା ୩ ହଜାର ଟଙ୍କା କରନ୍ତୁ । ଆମକୁ ଆମର ମଜୁରୀ ଦରକାର । ଆମକୁ ଅଧିକ କିଛି ଦରକାର ନାହିଁ ।
ଦୀର୍ଘ 24 ବର୍ଷ ହେଲାଣି ଆମେ ଯେଉଁ ସ୍କୁଲକୁ ଜଗି ରହିଛୁ ଖାଇବା ପିଇବା କଥା ବୁଝୁଛୁ ସେଠି କିନ୍ତୁ ଆମକୁ ସରକାର ଅବହେଳା କରୁଛନ୍ତି । ନିକଟରେ ସରକାର ଆମ କଥା ରଖିଥିଲେ । 2ହଜାର ଟଙ୍କା ଦିଆଯିବ ବୋଲି କହିଥିଲେ । ହେଲେ ଆମ ଖାତାରେ 14ଶହ ଟଙ୍କା ପକାଯାଉଛି । ଯେତିକି ଘୋଷଣା କରିଥିଲେ ସେତିକି ଦେଲେ ନାହିଁ ସରକାର । ତେଣୁ ସରକାର ଆମ ଦାବି ପୂରଣ ନକରିବା ଯାଏଁ ଆମେ ଏଭଳି ଆନ୍ଦୋଳନ କରିବୁ ବୋଲି କହିଛନ୍ତି ଆନ୍ଦୋଳନକାରୀ ।''
ଇଟିଭି ଭାରତ, ଭୁବନେଶ୍ବର