ଅର୍ଚ୍ଚନା କେଳେଙ୍କାରୀ ପଛରେ ବଡ଼ ଷଡ଼ଯନ୍ତ୍ର: ଅକ୍ଷୟ ପରିଜାଙ୍କ ଓକିଲ - ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ସମନ
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେ ନିକଟରେ ବ୍ୟାଙ୍କକ୍ରୁ ଫେରି ସଙ୍ଗରୋଧରେ ଥିବାରୁ କିଛିଦିନ ପରେ ହାଜର ହୋଇ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି ଅକ୍ଷୟଙ୍କ ଓକିଲ । ଅଧିକ ପଢ଼ନ୍ତୁ
ଭୁବନେଶ୍ବର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାର ପ୍ରଥମ ଅଭିଯୋଗକାରୀ ତଥା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ ପରେ ଅକ୍ଷୟଙ୍କ ଓକିଲ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ବୟାନ । ବଡ଼ବଡ଼ିଆଙ୍କୁ ହନିଟ୍ରାପ ଜାଲରେ ଫସାଇ ବ୍ଲାକମେଲ କରିବା ଏକ ବଡ଼ ଷଡଯନ୍ତ୍ର ବୋଲି ସେ କହିଛନ୍ତି । ଏହାପରେ ଆଇନଜୀବୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବ୍ଲାକମେଲର ଦମ୍ପତ୍ତି ଅର୍ଚ୍ଚନା ଓ ଜଗବନ୍ଧୁ କେସ୍ରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଜଣଙ୍କ ପରେ ଜଣକୁ ସ୍କାନରକୁ ଆଣି କରୁଛି ପଚରାଉଚରା । ଏହି ମାମଲାରେ ଅଧିକ ତଦନ୍ତ ପାଇଁ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ସମନ କରିଥିଲା ଇଡି । ତେବେ ଇଡି ନିକଟରେ ହାଜର ହେବା ପାଇଁ କିଛି ସମୟ ମାଗିବାକୁ ଆସିଥିଲେ ଅକ୍ଷୟଙ୍କ ଓକିଲ । ସେ କହିଛନ୍ତି, "ଏହା ଏକ ବଡ଼ ଷଡ଼ଯନ୍ତ୍ର । ଯଦି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତଦନ୍ତକାରି ସଂସ୍ଥା ତଦନ୍ତ ସଠିକ କରେ ଏହା ପଛରେ ବଡ଼ବଡ଼ିଆଙ୍କ ମୁଖା ଖୋଲିବ । ଏହା ପଛର ସବୁ ସତ୍ୟାସତ୍ୟ ପଦାକୁ ଆସିବ । ବ୍ୟାଙ୍କକରୁ ଫେରି ସଙ୍ଗରୋଧରେ ଅଛନ୍ତି ଅକ୍ଷୟ ପରିଜା । ସେ ଖୁବ ଶୀଘ୍ର ହାଜର ହୋଇ ତଦନ୍ତରେ ସହଯୋଗ କରିବେ ।"
ତେବେ ଅକ୍ଷୟ ପରିଜାଙ୍କ ଓକିଲଙ୍କ ବୟାନ ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଅସଲରେ ଅର୍ଚ୍ଚନା କେଳେଙ୍କାରୀ ପଛରେ କାହାର ହାତ ରହିଛି । ବଡବଡିଆଙ୍କୁ ଏପରି ହନିଟ୍ରାପରେ ଫସାଇବାକୁ କିଏ ଏଭଳି ଜାଲ ବିଛାଇଥିଲା । ଅନେକ ରାଜନୈତିକ ଦଳର ନେତାଙ୍କ ସହ ସମ୍ପର୍କରେ ରହି ଏପରି ଏକ ଷଡ଼ଯନ୍ତ୍ର ଜରିଆରେ ରାଜନୈତିକ ଷଡ଼ଯନ୍ତ୍ର ରଚାଯାଇଥିଲା କି । ବଡ଼ ବଡ଼ ବ୍ୟବସାୟୀ ଓ ପ୍ରତିପତ୍ତି ଲୋକଙ୍କ ଠାରୁ ମଧ୍ୟ ଅର୍ଚ୍ଚନା ହନିଟ୍ରାପ ଜରିଆରେ ଅର୍ଥ ସଂଗ୍ରହ କରାଯାଉଥିଲା କି । ଏଭଳି ଏବେ ଅନେକ ପ୍ରଶ୍ନ ଠିଆ ହୋଇଛି ।
ଅକ୍ଷୟ ପରିଜାଙ୍କୁ ମଧ୍ୟ ସମାନ ଢଙ୍ଗରେ ଏକ ଅଶ୍ଳୀଳ ଫଟୋ ଜରିଆରେ ବ୍ଲାକମେଲ କରି ୩ କୋଟି ଟଙ୍କା ମାଗିଥିଲେ ଅର୍ଚ୍ଚନା ଓ ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି । ଯାହାକୁ ନେଇ ନୟାପଲ୍ଲୀ ଥାନାରେ ପ୍ରଥମେ ଅଭିଯୋଗ କରିଥିଲେ ଅକ୍ଷୟ ପରିଜା । ହେଲେ କମିଶନରେଟ ପୋଲିସ ଏହାକୁ ଗୁରୁତ୍ବ ନଦେଇ ଅକ୍ଷୟଙ୍କ ଅଭିଯୋଗର ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳିର ଅଭିଯୋଗ ଆଧାରରେ ଅର୍ଚ୍ଚନାକୁ ଗିରଫ କରିଥିଲା । ପରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁକୁ ଗିରଫ କରାଯାଇଥିଲା ।
ଏନେଇ ପରେ ଇଡି କେସକୁ ହାତକୁ ନେବା ପରେ ଏହାର ଆର୍ଥିକ କାରବାରର ତଦନ୍ତ କରୁ କରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଅନ୍ୟତମ ସହଯୋଗୀ ଖଗେଶ୍ବରକୁ ଗିରଫ କରାଯାଇଥିଲା । ଏବେ ଶ୍ରଦ୍ଧାଞ୍ଜଳି ଫେରାର ରହିଛନ୍ତି । କୁହାଯାଉଛି ଦୁଇ ପ୍ରତିଷ୍ଠିତ ରାଜନୈତିକ ବ୍ୟକ୍ତିଙ୍କ ଛତ୍ରଛାୟାରେ ଆତ୍ମଗୋପନ କରିଛନ୍ତି ଶ୍ରଦ୍ଧାଞ୍ଜଳି । ତେବେ କିଏ ଏହା ପଛର ଷଡ଼ଯନ୍ତ୍ରକାରୀ ସେନେଇ ଉଠିଛି ପ୍ରଶ୍ନ ।
ଇଟିଭି ଭାରତ, ଭୁବନେଶ୍ବର