ଖୋର୍ଦ୍ଧା: ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ସାତଜନ୍ମ ସାଥି ହୋଇ ରହିବା ପାଇଁ ବିବାହ କରିଥିଲେ । କିନ୍ତୁ ବିବାହକୁ ଦୁଇ ବର୍ଷ ନପୁରୁଣୁ ସ୍ୱାମୀକୁ ସ୍ତ୍ରୀ ଠାରୁ ଛଡେଇ ନେଲା ଯମ । ଆଉ ଏଭଳି ଦାରୁଣ ଦୁଃଖକୁ ସହି ନପାରି ଜୀବନ ହାରିଛି ସ୍ତ୍ରୀ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳରେ । ପୋଲିସ ମୃତଦେହକୁ ଜବତ କରିବାସହ ବ୍ୟବଚ୍ଛେଦ ପାଇଁ ପାଠାଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ ଭୁବନେଶ୍ୱର ଏକ ଘରୋଇ ହସପିଟାଲରେ ବିସ୍ଫୋରଣ ଘଟଣାରେ ଗତକାଲି ଜଟଣୀ ବଅଁଙ୍ଗ ଗ୍ରାମର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ତାଙ୍କ ପତ୍ନୀ ସୋମ୍ୟାଶ୍ରୀ ଜେନା (24) ଜୀବନ ହାରିଛନ୍ତି । ଗତକାଲି ଦିଲ୍ଲୀପଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ ପତ୍ନୀ ସୋମ୍ୟା । ସେପଟେ ଜ୍ୱାଇଁଙ୍କ ମୃତ୍ୟୁ ଦୁଃଖକୁ ଭୁଲାଇବା ପାଇଁ ଗତକାଲି ସୋମ୍ୟାଙ୍କୁ ତାଙ୍କ ବାପ ଘର ଲୋକେ ନିଜ ସହିତ ନେଇ ଆସିଥିଲେ । ନୂଆଗାଁ ସ୍ଥିତ ବାପଘରେ ଥିବା ସୋମ୍ୟାଙ୍କ ଆଜି ସନ୍ଦେହଜନକ ଭାବେ ମୃତଦେହ ମଳିଥିଲା । ପରେ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଜଟଣୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପଠାଇଛି ।
ଏହା ମଧ୍ୟ ପଢନ୍ତୁ ......ମଦ ଦୋକାନ ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଅନ୍ୟପଟେ ପୋଲିସ 1/2024ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସେହିପରି ସ୍ୱାମୀର ମୃତ୍ୟୁକୁ ସହ୍ୟ କରି ନପାରି ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସୋମ୍ୟାଙ୍କ ବାପା କହିଛନ୍ତି । ଗତ ଶୁକ୍ରବାର ଭୁବନେଶ୍ୱର ପାଣ୍ଡାରାସ୍ଥିତ ଏକ ଘରୋଇ ହସପିଟାଲରେ ବିସ୍ଫୋରଣ ଘଟିଥିଲା । ହସପିଟାଲର ତୃତୀୟ ମହଲାରେ ଏକ ଏସିରେ ଗ୍ୟାସ ଫିଲିଂ ବେଳେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ସଙ୍ଗେ ସଙ୍ଗେ ଆୟତ୍ତ କରାଯାଇଥିଲା । ତେବେ ଏହି ଘଟଣାରେ 4 ଜଣ ଗୁରୁତର ଆହତ ହୋଇଥିଲେ ।
ତେବେ ସେମାନଙ୍କ ମଧ୍ୟରୁ ଦିଲ୍ଲୀପଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗତକାଲି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।ତେବେ ଦୀର୍ଘ 10ବର୍ଷ ଧରି ଦିଲ୍ଲିପ ଏଠାରେ କାମ କରୁଥିଲେ ।ଏନେଇ ହସ୍ପିଟାଲ କର୍ତ୍ତୃୃପକ୍ଷ କ'ଣ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆର୍ଥିକ ସହାୟତା ଦେଇଛନ୍ତି କି ନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି କି ନାହିଁ । ଦୁର୍ଘଟଣା କିପରି ଘଟିଲା । ଏଥିପାଇଁ କିଏ ଦାୟୀ ? ବର୍ତ୍ତମାନ ଏକ ରହସ୍ୟ ହୋଇ ରହିଛି ।
ଇଟିଭି ଭାରତ, ଖୋର୍ଦ୍ଧା