ଖୋର୍ଦ୍ଧା: ରାଜ୍ୟରେ ପୁଣି ଲଜ୍ଜା। ଜଣେ 6 ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଧିନସ୍ଥ ମୁଣ୍ଡାସାହିରେ ଘଟିଛି ଏହି ଲଜ୍ଜାକର ଘଟଣା। ଜଣେ ମଦ୍ୟପ ଯୁବକ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଗତ ଗୁରୁବାର ରାତିରେ ନାବାଳିକା ଜଣକ ଖେଳିବା ପାଇଁ ଉକ୍ତ ସାହିରେ ରହୁଥିବା ଆନନ୍ଦ ପ୍ରଧାନଙ୍କ ଘରକୁ ଯାଇଥିଲା। ନିଶାରେ ଚୁର୍ ଥିବା ଅଭିଯୁକ୍ତ ଜଣକ ନାବାଳିକାକୁ ଏକାକି ପାଇ ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ନାବାଳିକାକୁ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ରେଳବାଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉକ୍ତ ଯୁବକକୁ କାବୁ କରି ନିସ୍ତୁକ ମାଡ ମାରିଥିଲେ। ଖବର ପାଇ ପୋଲିସ ପହଞ୍ଚି ଯୁବକକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଅନ୍ୟପଟେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ବିକ୍ଷୋଭ କରିବା ସହ ଥାନା ଘେରାଉ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ଅନୁପ ସାହୁ ପହଞ୍ଚି ଆନ୍ଦୋଳରତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୋଷୀ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଛି । ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଡିସିପି ।
ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳର ବୋଲି ଜଣାପଡିଛି । ସେ 5ଦିନ ହେବ ସେହି ଅଞ୍ଚଳରେ ଭଡାରେ ରହୁଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ