ଖୋର୍ଦ୍ଧା: ଭିନ୍ନକ୍ଷମ ଯୁବତୀଙ୍କ ଦୁଷ୍କର୍ମ ଘଟଣାରେ ନ୍ୟାୟ ଦାବି କରି ଥାନା ଘେରାଉ କରିଛନ୍ତି ମହିଳା । ଘଟଣାକୁ ନେଇ ପୋଲିସ କେବଳ ମାମଲା ରୁଜୁ କରିଥିବା ସତ୍ତ୍ବେ ଅଭିଯୁକ୍ତକୁ ଗିରଫ କରିନାହିଁ। ଯାହାକୁ ନେଇ ଖୋର୍ଦ୍ଧା ଟାଙ୍ଗି ଥାନା ଘେରାଉ କରିଥିଲେ ଶତାଧିକ ମହିଳା ।
ସୂଚନାଯୋଗ୍ୟ, ଗତ 17 ତାରିଖରେ ଜରିପଡା ଗ୍ରାମପଞ୍ଚାୟତ ପାଣିଦୁଆର ଆଦିଶକ୍ତି ସାହିର ଫୁଲ ବେହେରା ଓ ବୁଲୁ ବେହେରା ତାଙ୍କ ଦୁଇ ଝିଅକୁ ଛାଡି ପ୍ରତିଦିନ ପରି ଭୁବନେଶ୍ବରକୁ କାମ କରିବାକୁ ଯାଇଥିଲେ । ତେବେ ତାଙ୍କ ମଝିଆ ଝିଅ ଘରେ ଏକୁଟିଆ ଥିବାବେଳେ ସେ 75 ପ୍ରତିଶତ ଭିନ୍ନକ୍ଷମ । ଯାହାର ସୁଯୋଗ ନେଇ ସେହି ଗାଁର ଭିକାରୀ ବେହେରା ଘରେ ପଶି ଯୁବତୀଙ୍କୁ ଉଠାଇ ନେବା ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।
ପୀଡିତା ଜଣକ ଘଟଣା ବିଷୟରେ କହିବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର । ଅଭିଯୁକ୍ତ ଜଣକ ଏକ ରାଜନୈତିକ ଦଳର କର୍ମୀ ହୋଇଥିବାରୁ ଘଟଣାର ଏତେ ଦିନ ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ଅଭିଯୋଗ କରିଛନ୍ତି ମହିଳାମାନେ ।
ଖୋର୍ଦ୍ଧାରୁ ଗୋବିନ୍ଦ୍ର ପଣ୍ଡା, ଇଟିଭି ଭାରତ