ଖୋର୍ଦ୍ଧା: ଦିନକୁ ଦିନ ଠକେଇର ନୂଆ ତରିକା ଆପଣାଉଛନ୍ତି ଠକ । ସାଧାରଣ ଲୋକଙ୍କୁ ବକରା ବନାଇ ଲୁଟି ନେଉଛନ୍ତି ଧନ । ଯେଉଁଥିରେ ମହିଳାମାନେ ମଧ୍ୟ ସାମିଲ ରହୁଛନ୍ତି । ଖୋର୍ଦ୍ଧାରୁ ଠକେଇର ସେଭଳି କିଛି ଘଟଣା ସାମ୍ନାକୁ ଆସିଛି । ଏଠାରେ କିଛି ମହିଳା ଫେରିବାଲା ସୁନା ହାର ବଦଳରେ ସୁନା ପାଣିଦିଆ ହାରକୁ ବଦଳ କରୁଥିବା ସମୟରେ ଧରାପଡିଛନ୍ତି । ଗ୍ରାମାବାସୀମାନେ ସମ୍ପୃକ୍ତ ମହିଳା ଫେରିବାଲାଙ୍କୁ ଅଟକ ରଖି ପୋଲିସର ଜିମା ଦେଇଛନ୍ତି ।
ସୂଚନାଯୋଗ୍ୟ, ଖୋର୍ଦ୍ଧା ବୋଲଗଡ ଥାନା ବେଗୁନିଆମୂଳକ ଗ୍ରାମର ଅର୍ଜୁନ ମାର୍ଥାଙ୍କ ବୃଦ୍ଧା ମାଆ ଦୁଇ ଦିନ ତଳେ ଗାଁକୁ ଆସିଥିବା ଜଣେ ମହିଳା ଫେରିବାଲାକୁ ନିଜର ସୁନା ମାଳ ଗୁନ୍ଥିବା ପାଇଁ ଦେଇଥିଲେ । ଫେରିବାଲାଟି ମାଳଟିକୁ ଅଧା ଗୁନ୍ଥି ସୂତା ନାହିଁ କହି ଫେରି ଯାଇଥିଲା । ଫଳରେ ପୁନର୍ବାର ଆଜି(ରବିବାର) ନିଜ ସାଙ୍ଗରେ ଆଉ ତିନି ଜଣଙ୍କୁ ଆଣି ପୁନର୍ବାର ଅର୍ଜୁନଙ୍କ ଘରେ ପହଞ୍ଚିଥିଲା । ଏଥିସହ ଅଧା ଗୁନ୍ଥା ମାଳ ମାଗି ଗୁନ୍ଥିବା ପାଇଁ କହିଥିଲା । ଏହାପରେ ସମ୍ପୃକ୍ତ ଫେରିବାଲାଟି ବୃଦ୍ଧାଙ୍କୁ କଥାବର୍ତ୍ତାରେ ଭୁଲାଇ ଚାଲାଖର ସହ ସୁନା ମାଳ ବଦଳରେ ନକଲି ତଥା ସୁନା ପାଣି ଦିଆ ହାର ଦେଇଥିଲା ।
ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଗ୍ରାମର କିଛି ଯୁବକ ଠକ ମହିଳାଙ୍କର ଚାଲାଖ ଧରି ଦେଇଥିଲେ । ଏହାପରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଫେରିବାଲାମାନଙ୍କୁ ଅଟକ ରଖି ବାଙ୍କୋଇ ଫାଣ୍ଡିକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀ ଠକ ଫେରିବାଲାଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ