ଖୋର୍ଦ୍ଧା: ଜିଲ୍ଲାର ଟାଙ୍ଗୀ ଥାନା ଉଜ୍ଜଳା ଗୋପିନାଥପୁରରେ ବେଆଇନ ପଥର ଖନନ ଓ ରାତିରେ ଖଣି ଖନନକୁ ବିରୋଧ କରିବାରୁ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଗୋଟିଏ ପରିବାରର ତିନିଜଣ । ତେବେ ଏହି ଘଟଣାରେ ସମ୍ପୃକ୍ତ ଖଣି ମାଫିଆଙ୍କୁ ଗିରଫ କରିବା ପାଇଁ ଆହତମାନେ ଏସପିଙ୍କ ନିକଟରେ ଦାବି କରିଛନ୍ତି ।
ଗତ ଜାନୁଆରୀ 1 ତାରିଖରେ ବାସୁଦେବ ପରିଡାଙ୍କ ପରିବାର ରାତିରେ ଚାଲିଥିବା ମାଙ୍କଡା ପଥର ଚାଲାଣକୁ ବିରୋଧ କରିବା ସହିତ ରାତିରେ ଖଣି ଖନନକୁ ବାରଣ କରିବାରୁ ସଂଘବଦ୍ଧ ଭାବରେ ଖଣି ମାଫିଆ ଏମାନଙ୍କ ଉପରେ ଆକ୍ରମଣ କରିଥିଲେ । ସେଥିରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ବାରମ୍ବାର ଖଣି ଖନନ ବନ୍ଦ ରଖିବାକୁ ତହସିଲଙ୍କଠାରୁ ଥାନା ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ଆକ୍ରମଣର ଶିକାର ହୋଇଥିବା ବାସୁଦେବଙ୍କ ପରିବାର ଖୋର୍ଦ୍ଧା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଏହି ଘଟଣାରେ ସମ୍ପୃକ୍ତ ଥିବା ଖଣି ମାଫିଆଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ପରିବାର ଲୋକେ ଏସପିଙ୍କ ନିକଟରେ ଦାବି କରିଛନ୍ତି । ସେପଟେ ଉଭୟ ପକ୍ଷରୁ ଟାଙ୍ଗୀ ଥାନାରେ ଏତଲା ହୋଇଛି ବୋଲି ଏସପି କହିଛନ୍ତି । ଘଟଣାର ତଦନ୍ତ କରିବାକୁ ଖୋର୍ଦ୍ଧା ଏସ୍ଡିପିଓଙ୍କୁ ଦାୟିତ୍ବ ଦିଆଯାଇଛି । ତେବେ ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ