ଖୋର୍ଦ୍ଧା : ବ୍ରାଉନ ସୁଗାର ମାଫିଆଙ୍କ ଗାଡ଼ିରୁ ମିଳିଲା ୨୨ଲକ୍ଷ ଟଙ୍କା । କାର ଛାଡି ପୁଣିଥରେ ନିଶା ମାଫିଆ ଖସିଗଲା । ଖୋର୍ଦ୍ଧା ଆଦର୍ଶ ଥାନା ଅଧୀନ ଶିଆଳିଆ ରାସ୍ତାରୁ ଜଣେ ବ୍ରାଉନସୁଗାର ବେପାରୀଙ୍କ କାରରୁ ନଗଦ ୨୨ ଲକ୍ଷ ଟଙ୍କା ଜବତ ହୋଇଛି । ଜବତ କାରର ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ ହୋଇଛି । ଶିଆଳିଆ ଗ୍ରାମ ରାସ୍ତାରୁ ଜଣେ ବ୍ରାଉନସୁଗାର ମାଫିଆ ରାଜଧାନୀ ଅଭିମୁଖ୍ୟ ଯାଉଥିବା ସମୟରେ ପୋଲିସ ଗାଡ଼ିକୁ ଅଟକାଇଥିଲା । ଏହାପରେ ଗାଡ଼ିକୁ ଦେଖି ସନ୍ଦେହ ହେବାରୁ ଯାଞ୍ଚ କରିଥିଲା ପୋଲିସ । ତଦନ୍ତ ସମୟରେ ନିଶା ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।
ପୋଲିସ ଗାଡ଼ି ଯାଂଚ କରିବା ସମୟରେ କାରରୁ ନଗଦ 22 ଲକ୍ଷ ଟଙ୍କା ଉଦ୍ଧାର ହୋଇଥିଲା । ତେବେ ଯାଂଚ ସମୟରେ ନିଶା ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଆଜି ଥାନା ପରିସର ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁରେନ୍ଦ୍ର ମୁର୍ମୁ ଏଭଳି ସୂଚନା ଦେଇଛନ୍ତି । ସୂଚନାନୁସାରେ ଗତ ମାସ 21ତାରିଖରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଏକ ବ୍ରାଉନସୁଗାର କାରବାର ସମ୍ପୃକ୍ତି ନେଇ ସାମନ୍ତରାପୁର ଅଞ୍ଚଳର କାନି ବେହେରା, ସ୍ୱର୍ଣ୍ଣଲତା ବେହେରା, ଦମୟନ୍ତୀ ନାୟକ, କୁଳମଣି ବେହେରା ଓ ନୀଳମଣି ବେହେରାଙ୍କୁ ଗିରଫ କରିଥିଲା । ଏମାନଙ୍କ ଠାରୁ ୫୧୧.୬୭୦ ସୁନା, ୮୩୦ ଗ୍ରାମ ରୁପା, ୫୦ ଗ୍ରାମ ବ୍ରାଉନସୁଗାର ସହିତ ବିପୁଳ ପରିମାଣର କ୍ଯାସ୍ ମଧ୍ୟ ଜବତ କରିଥିଲା । ହେଲେ ସେହି ସମୟରେ କାନି ବେହେରାଙ୍କ ପୁଅ ଶରତ ଓରଫ ବାୟା ଫେରାର ହୋଇଯାଇଥିଲା ।
ସେବେଠୁ କାନିର ପୁଅ ଶରତ ବେହେରାକୁ ଖୋଜୁଥିଲା ପୋଲିସ । ଆଜି ସକାଳୁ ଶରତ (odo2-4242) ନମ୍ବର ଗାଡ଼ିରେ ରାଜଧାନୀ ଅଭିମୁଖେ ଯାଉଥିବା ଖବର ପାଇଥିଲା ପୋଲିସ । ତେବେ ଉକ୍ତ ଗାଡ଼ିରେ ଶରତ ବ୍ରାଉନସୁଗାର ନେଇ ଯାଉଥିବା ସନ୍ଦେହ କରି ପୋଲିସ ଶିଆଳିଆ ରାସ୍ତା ଦେଇ ଶରତ ବେହେରା ଗାଡ଼ିକୁ ପିଛା କରିଥିଲା । ପୋଲିସ ଗାଡ଼ି ପିଛା କରୁଥିବା ଅଭିଯୁକ୍ତମାନେ ଜାଣିବା ପରେ ଗାଡ଼ିକୁ ରାସ୍ତା କଡ଼ରେ ଛାଡି ଫେରାର ହୋଇଯାଇଥିଲେ । ପରେ ଗାଡ଼ିକୁ ଯାଞ୍ଚ କରିଥିଲା ପୋଲିସ । ଏ ସମୟରେ କାର ମଧ୍ୟରୁ 22 ଲକ୍ଷ ଟଙ୍କା ଜବତ ହୋଇଥିଲା । ଏ ବିଷୟରେ ଜାଣିବା ପରେ ପୁଲିସ ଗାଡ଼ି ଓ ଟଙ୍କା ଜବତ କରିବା ସହ ଏକ ମାମଲା ରୁଜୁ କରିବା ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ, ଖୋର୍ଦ୍ଧା