ଭୁବନେଶ୍ବର: ବିଜୁ ଜନତା ଦଳ ଲାଗି 2022 ସଫଳତାର ବର୍ଷ ହୋଇଛି । କୋଭିଡ ମହାମାରୀରୁ ମୁକୁଳିବା ପରେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିରାଟ ସଫଳତା ଗୋଟାଇଛି ବିଜେଡି । ସେହିପରି ତିନି ଉପ ନିର୍ବାଚନରେ ଦଳ ଦୁଇଟିରେ ଗଡ଼ ରକ୍ଷା କରିଥିବାବେଳେ ଅନ୍ୟଟିରେ ଉପନିର୍ବାଚନ ବିଜୟରେ ବ୍ରେକ ଲାଗିଛି । ଦଳୀୟ ନେତାଙ୍କ ବିଦ୍ରୋହ 2022 ବର୍ଷରେ ବିଜେଡି ଲାଗି ଚିନ୍ତା ମଧ୍ୟ ବଢ଼େଇଛି ।
ଶେଷ ହେବାକୁ ଯାଉଛି 2022 ବର୍ଷ । 2022 ବିଜେଡି ଦୃଷ୍ଟିକୋଣରୁ ବେଶ ସଫଳତାର ବର୍ଷ । କୋଭିଡ ସଂକ୍ରମଣ ଶେଷ ହେବା ସହ ବର୍ଷର ପ୍ରଥମ ତ୍ରୟମାସରେ ଦଳ ସମ୍ନା କରିଥିଲା ପଞ୍ଚାୟତ ନିର୍ବାଚନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ 852 ଜିଲ୍ଲା ପରିଷଦ ଜୋନରୁ ବିଜେଡି 766 ଟି ସିଟ ଦଖଲ କରିଥିଲା । ଏହା ସହ ରାଜ୍ୟରେ ପ୍ରଥମ ଥର ଲାଗି ବିଜେଡି 30 ଜିଲ୍ଲାରେ ଜିଲ୍ଲା ପରିଷଦ ଦଖଲ କରିବାକୁ ସକ୍ଷମ ହୋଇଛି । ସେହିପରି ଗ୍ରାମାଞ୍ଚଳ ପରି ସହରାଞ୍ଚଳ ଦଖଲ କରିଥିଲା ବିଜେଡି । ସମସ୍ତ ମହାନଗର ନିଗମ ସହ ପୌର ନିର୍ବାଚନରେ ନବୀନ ବ୍ରିଗେଡ଼ର ବମ୍ପର ବିଜୟ ହୋଇଥିଲା । ଯାହା ପୂର୍ବରୁ କୌଣସି ଦଳକୁ ଏଭଳି ସଫଳତା ମିଳିନଥିଲା । ବିଜେଡି ନିଜ ରେକର୍ଡ ନିଜେ ଭାଙ୍ଗିଛି ।
ଗ୍ରାମାଞ୍ଚଳ ପରି ସହରୀ ଭୋଟରଙ୍କର ପ୍ରଥମ ପସନ୍ଦର ପାଲଟିଛି ବିଜେଡି । 3 ମହାନଗର ନିଗମ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ସହ ସହରାଞ୍ଚଳରେ ସର୍ବାଧିକ 73ଟି ଅଧ୍ୟକ୍ଷ ପଦ ବିଜେଡି ଦଖଲ କରିଛି । ପ୍ରାୟ 90 ପ୍ରତିଶତ ପଞ୍ଚାୟତରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବିଜେଡି ପୌରରେ ବି ସମାନ ସଫଳତା ଦୋହରାଇଛି । 108 ପୌରାଞ୍ଚଳ ମଧ୍ୟରୁ ବିଜେଡି 95ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି । 88 ପ୍ରତିଶତ ଆସନରେ ବିଜେଡିକୁ ସଫଳତା ମିଳିଛି । ବିଭିନ୍ନ ବିବାଦ, ସମସ୍ୟା ଦଳୀୟ କନ୍ଦଳ ଓ ଜନ ଆକ୍ରୋଶ ମଧ୍ୟରେ ବିଜେଡି ଭୋଟ ମ୍ୟାନେଜମେଣ୍ଟରେ କେତେ ପାରଙ୍ଗମ ତାହା ଉଭୟ ନିର୍ବାଚନରେ ପୁନର୍ବାର ପ୍ରମାଣିତ ହୋଇଛି ।
2024 ନିର୍ବାଚନ ଓ ସଂଗଠନକୁ ସୁଦୃଢ କରିବା ଲାଗି ମନ୍ତ୍ରିମଣ୍ଡଳ ଓ ସଂଗଠନ ସ୍ତରରେ ଅଦଳବଦଳ କରିଛି ବିଜେଡି । ବିଭିନ୍ନ କାରଣରୁ ବିଗତ ଦିନରେ ବିବାଦୀୟ ହୋଇଥିବା ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ସହ ଗତ ନିର୍ବାଚନରେ ଭଲ ପ୍ରଦର୍ଶନ କରିନଥିବା ନେତାଙ୍କୁ ମଧ୍ୟ ସଂଗଠନ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି । ମନ୍ତ୍ରୀ ମଣ୍ଡଳ ଓ ସଂଗଠନରେ ଅନୁଭବୀ, ମହିଳା ଓ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ସେହିପରି ମହିଳା, ଯୁବ ଓ ଛାତ୍ର ସଂଗଠନକୁ ମଧ୍ୟ ବ୍ୟାପକ କରାଯାଇଛି ।
ଚଳିତବର୍ଷ 3ଟି ଉପ ନିର୍ବାଚନର ସମ୍ନା କରିଛି ବିଜେଡି । ସେଥିରୁ 2 ଟିରେ ବିଜେଡି ବିଜୟ ହୋଇଥିବାବେଳେ ଗୋଟିଏରେ ପରାଜୟର ସମ୍ନା କରିଛି ଦଳ । ପଦ୍ମପୁର ଓ ବ୍ରଜରାଜନଗରରେ ବିଜେଡି ନିଜ ଗଡ଼ ରକ୍ଷା କରିବାରେ ସଫଳ ହୋଇଛି । ତେବେ ଧାମନଗର ଦଖଲ କରିବାରେ ବିଜେଡି ବିଫଳ ହୋଇଛି । ବ୍ରଜରାଜନଗରରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପ୍ରାୟ 65 ହଜାର ଭୋଟ ବ୍ୟବଧାନରେ ବିଜୟ ହୋଇଥିଲେ । ସେହିପରି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା 42 ହଜାର ଭୋଟ ବ୍ୟବଧାନରେ ପଦ୍ମପୁର ଗଡ଼ ରକ୍ଷା କରିଛନ୍ତି । ତେବେ ଧାମନଗରରେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସ ପ୍ରାୟ 10 ହଜାର ଭୋଟ ବ୍ୟବଧାନରେ ମାତ୍ ଖାଇଥିଲେ ।
2022 ବର୍ଷରେ ବିଜେଡି ଭିତରେ ବିଦ୍ରୋହର ସ୍ବର ଜୋର ଶୁଣିବାକୁ ମିଳିଛି । ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ବିଜେଡି ସୁପ୍ରିମୋ, ସରକାର, ସରକାରୀ କଳ ବିଜେଡି ପରିଚାଳକଙ୍କୁ କଲବଲ କରିଛି । ଶାଣିତ ଆଲେଖ୍ୟ ଜରିଆ ବିଜେଡିର ପାୱାର କରିଡରକୁ ଜୋରଦାର ଟାର୍ଗେଟ କରିଛନ୍ତି ସୌମ୍ୟ । ସେହିପରି ପାୱାର କରିଡରରୁ ଦୂରେଇ ରହିଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ବାଣ ବିଜେଡିର ମହଲରେ ଭେଦ କରି ବିସ୍ଫୋରଣ ହୋଇଛି । ଏହାକୁ ବଳିଗଲା ଧାମନଗର ଉପ ନିର୍ବାଚନରେ ବିଜେଡିରୁ ବିଦ୍ରୋହ ପ୍ରାର୍ଥୀ ବାହାରିବା । ଯାହା ନବୀନଙ୍କ ନେତୃତ୍ବରେ ଗତ 25 ବର୍ଷ ମଧ୍ୟରେ କୌଣସି ନିର୍ବାଚନରେ ହୋଇନଥିଲା, ତାହା ଧାମନଗରରେ ହୋଇଛି ।
ବିଜେଡିର ବିଦ୍ରୋହ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଯୋଗୁଁ ଦଳକୁ ଧାମନଗରରେ ପରାଜୟର ସାମ୍ନା କରିବାକୁ ପଡିଛି । ବିଜେଡିରେ ବଢିଛି ମହିଳାଙ୍କ ଦବଦବା । ପଞ୍ଚାୟତସ୍ତରରୁ ଆରମ୍ଭ କରି ରାଜ୍ୟ ମନ୍ତ୍ରିମଣ୍ଡଳରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ବଢିଛି । ଘୋଷଣା ଅନୁସାରେ ପଞ୍ଚାୟତ ଓ ପୌର ନିର୍ବାଚନରେ 50 ପ୍ରତିଶତରୁ ଅଧିକ ମହିଳାଙ୍କୁ ଟିକେଟ ଦେଇଛି ବିଜେଡି । ସେମାନଙ୍କ ମଧ୍ୟରୁ 70 ପ୍ରତିଶତରୁ ଅଧିକ ମହିଳା ବିଭିନ୍ନ ମହାନଗର, ପୌର ପରିଷଦ ଓ ପଞ୍ଚାୟତ ସ୍ତରରେ ନେତୃତ୍ବ ନେଉଛନ୍ତି । ଚଳିତ ବର୍ଷ ହୋଇଥିବା 3 ବିଧାନସଭାର ଉପନିର୍ବାଚନରେ ମହିଳା ପ୍ରାର୍ଥୀ ଦେଇଛି ବିଜେଡି । ଏହା ସହ ଆଗାମୀ ସାଧାରଣ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଆହୁରି ବଢ଼େଇବା ଲାଗି ବିଜେଡି ଯୋଜନା କରିଛି ।
ଡିସେମ୍ବର 26 ତାରିଖରେ 25 ବର୍ଷରେ ପାଦ ଥାପିବ ବିଜୁ ଜନତା ଦଳ । ବେଶ ଧୁମଧାମରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ । ରାଜ୍ୟସ୍ତରରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ପ୍ରତିଷ୍ଠା ଦିବସ ପାଳନ କରିବ ଦଳ । ଏହା ସହ ଅକ୍ଟୋବର 2ରୁ ନଭେମ୍ବର 2 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପଦଯାତ୍ରା କରିଛି ଦଳ ।
ଇଟିିଭି ଭାରତ, ଭୁବନେଶ୍ବର