ଭୁବନେଶ୍ବର: ଟ୍ୟୁମର ଅପରେସନରେ ଡାକ୍ତରଙ୍କୁ ସଫଳତା । ଦୀର୍ଘ ୮ ଘଣ୍ଟାର ଅପରେସନ ସଫଳ ହୋଇଛି । ଯୁବତୀଙ୍କ ପେଟରୁ ୧୨ କେଜିର ଟ୍ୟୁମର ବାହାରିଛି । ମୟୂରଭଞ୍ଜ ଜିଲ୍ଲାର 25 ବର୍ଷୀୟା ଯୁବତୀ ତୁଳସୀ ହୋଙ୍କର ସଫଳ ଟ୍ୟୁମର ଅପରେସନ ହୋଇଛି । ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲକୁ ଏହି ସଫଳତା ମିଳିଛି ।
ତୁଳସୀ ଦୀର୍ଘ ଦିନ ଧରି ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଅନେକ ମାସ ଧରି ପେଟରେ ଯନ୍ତ୍ରଣା ଅନୁଭବ କରିଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ଚିକିତ୍ସା ସତ୍ତ୍ବେ ଯନ୍ତ୍ରଣାରୁ ଉପଶମ ମିଳୁନଥିଲା । ଅନେକ ଡାକ୍ତରଙ୍କ ଠାରୁ ମେଡିସିନ ଖାଇବା ପରେ ମଧ୍ୟ ଠିକ ହୋଇନଥିଲା । ଅତ୍ୟଧିକ ଯନ୍ତ୍ରଣା ପରେ ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ତେବେ ସେଠାରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା । ସିଟି ସ୍କାନ ମଧ୍ୟ କରାଯାଇଥିଲା । ସିଟି ସ୍କାନରେ ଜଣାପଡ଼ିଥିଲା କି ପେଟରେ ଏକ ବିରାଟକାୟ ଟ୍ୟୁମର ରହିଛି । ଏହାକୁ ନେଇ ଆରମ୍ଭ ହୋଇଥିଲା ଚିକିତ୍ସା । ଡାକ୍ତରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିଲା ।
ଅପରେସନରେ ପେଟ ମଧ୍ୟରେ ଥିବା ଅନ୍ତଃନଳୀର କିଛି ଯେପରି ଅସୁବିଧା ନହୁଏ ଏବଂ ଅନ୍ୟ ଅଙ୍ଗକୁ ଯେଭଳି ଭାବରେ କୌଣସି ଅସୁବିଧା ନହୁଏ ତାହା ଡାକ୍ତରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଥିଲା । ଅସ୍ତ୍ରୋପଚାର ପୂର୍ବରୁ ଏକ ଟିମ୍ ଗଠନ କରାଯାଇଥିଲା । ଯାହାକୁ ନେଇ ସଫଳତା ସହ କିଭଳି ଭାବରେ ଅସ୍ତ୍ରୋପଚାର କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଆରମ୍ଭ ହୋଇଥିବା ଅପରେସନ, ଯାହାକି ଦୀର୍ଘ 8 ଘଣ୍ଟା ଧରି ଚାଲିଥିଲା । ଏହାପରେ ଯୁବତୀଙ୍କ ପେଟରୁ 12 କେଜିର ଟ୍ୟୁମର ବାହାରିଥିଲା ।
ଏହା ବି ପଢନ୍ତୁ: କେନ୍ଦ୍ରାପଡା ଚିକିତ୍ସା ଇତିହାସରେ ପ୍ରଥମ, ମହିଳାଙ୍କ ପେଟରୁ ବାହାରିଲା 5 କେଜିର ଟ୍ୟୁମର
ଚଳିତ ମାସ ୧୧ ତାରିଖରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଉକ୍ତ ଯୁବତୀଙ୍କର ଅସ୍ତ୍ରୋପଚାର କରାଯାଇଥିଲା । କିଡନୀ ଏବଂ ଅନ୍ତଃନଳୀକୁ ଲାଗି ସମ୍ପୂର୍ଣ୍ଣ ପେଟରେ ଟ୍ୟୁମରଟି ରହିଥିଲା । ଯାହାର ଓଜନ ପାଖାପାଖି ୧୨ କେଜି ଓ ଏହାର ଆକାର 40 ସେମି ହେବ ବୋଲି ଜଣାପଡିଛି । ଏହି ସଫଳ ଅସ୍ତ୍ରୋପଚାର ଟିମରେ ଡାକ୍ତର ପି.ଆଚାର୍ଯ୍ୟ (ସର୍ଜନ), ଡକ୍ଟର ଏସ ସାହୁ (ଆନାସ୍ଥେସିଆ) ଏବଂ ପାରାମେଡିକ୍ସ ରହିଥିଲେ । ଏହି ଟିମକୁ ପ୍ରାୟ ୮ ଘଣ୍ଟାର ପରିଶ୍ରମ କରିବା ପରେ ସଫଳତା ମିଳିଥିଲା । ଅପରେସନ ପରେ ରୋଗୀ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ବିଏସକେୱାଈ ଯୋଜନାରେ ଏକ ଘରୋଇ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର କରାଯାଇଛି ।