ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ୧୧ତମ ରୋଜଗାର ମେଳା । ୫୧ ହଜାର ୧୫୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ । ଦେଶର ମୋଟ ୩୭ଟି ସ୍ଥାନରେ ରୋଜଗାର ମେଳା ଆୟୋଜିତ ହୋଇଛି । ଓଡ଼ିଶାରୁ ୨୦୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ । ବିକଶିତ ଭାରତ ଗଠନ କ୍ଷେତ୍ରରେ ନବନିଯୁକ୍ତ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ।
ଆୟୋଜିତ ହୋଇଯାଇଛି କେନ୍ଦ୍ର ସରକାରଙ୍କ ୧୧ତମ ରୋଜଗାର ମେଳା । ମେଳାରେ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସରକାରୀ ଚାକିରୀ ପାଇଁ ଚୟନ ହୋଇଛନ୍ତି ୫୧ ହଜାର ୧୫୬ ଜଣ ଯୁବ । ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୩୭ଟି ସ୍ଥାନରେ ରୋଜଗାର ମେଳା ଆୟୋଜିତ ହୋଇଛି । ଏହି ରୋଜଗାର ମେଳାରେ ରେଳ, ଆର୍ଥିକ ସେବା, ଡାକ, ଗୃହ ମନ୍ତ୍ରଣାଳୟ, ରାଜସ୍ବ, ଉଚ୍ଚ ଶିକ୍ଷା, ସ୍କୁଲ ଏବଂ ସାକ୍ଷରତା ବିଭାଗ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ଭଳି ବିଭିନ୍ନ ବିଭାଗରେ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମିଳିଛି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଭୁବନେଶ୍ଵର ସ୍ଥିତ ରେଲୱେ ଅଡିଟୋରିୟମରେ ରୋଜଗାର ମେଳା ଆୟୋଜିତ ହୋଇଥିଲା । ଭୁବନେଶ୍ବରରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ ୨୦୩ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଶୃଙ୍ଖଳିତ ଢଙ୍ଗରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଭାଗର ନବନିଯୁକ୍ତ ଅଧିକାରୀ , କର୍ମଚାରୀ ମାନେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ନିଜର ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି ।
ଏହା ମଧ୍ୟ ପଡ଼ନ୍ତୁ...ଓଡ଼ିଶାରେ ଅଣଓଡ଼ିଆ ଶିକ୍ଷା ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ନବୀନ: ବିଜେପି
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱପ୍ନ ଦେଖିଥିବା ବିକଶିତ ଭାରତ ଗଠନ କ୍ଷେତ୍ରରେ ନବନିଯୁକ୍ତ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । କେନ୍ଦ୍ର ସରକାରଙ୍କ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ଡିସେମ୍ବର ମାସ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀକୁ ପୁରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ନିଯୁକ୍ତି ପତ୍ର ପ୍ରଦାନ କରିବାର ଲକ୍ଷ୍ୟ ରଖିଛନ୍ତି । ଏହାକୁ ନେଇ ପୁରା ଭାରତ ବର୍ଷରେ ମାସକୁ ୭୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁଛି । ଯାହା ଯୁବପିଢିଙ୍କ ରୋଜଗାର କରାଇବା ସହ ଉତ୍ତମ ରାଷ୍ଟ୍ର ଗଠନରେ ସହାୟକ ହେବ ବୋଲି ସେ କହିଛନ୍ତି । ତେବେ ନବନିଯୁକ୍ତମାନେ ନିୟୋଜିତ ବିଭାଗରେ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ପାଳନ କରିବାର ସଂକଳ୍ପ ନେଇଛନ୍ତି । ଏହାସହ ଲୋକଙ୍କ ସେବାରେ ନିୟୋଜିତ ହେବା ପାଇଁ ଏହି ନବ ନିଯୁକ୍ତମାନେ ବର୍ଷ ବର୍ଷ ଧରି ନିଜର ଅଧୟନ ଓ ପରିଶ୍ରମ କରୁଥିବା ବେଳେ ଆଜି ନିଯୁକ୍ତି ପତ୍ର ପାଇ ବେଶ ଖୁସିଥିବା ପରିପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର