କେନ୍ଦୁଝର: ହାତୀ ଦାଉରୁ ଫସଲ ରକ୍ଷା ପାଇଁ ଧାନ ଜମିରେ ମଞ୍ଚା ବାନ୍ଧି ଶୋଇଥିବା ବେଳେ ଲାଗିଗଲା ନିଆଁ । ଘଟଣାଟି ତେଲକୋଇ ରେଞ୍ଜ ଅଧିନସ୍ଥ କରଦାଙ୍ଗି ଗାଁ ଘଟିଛି। ନିଆଁରେ ପୋଡି ହୋଇ ମହିଳା ଗୁରୁତର । ଗୁରୁତର ମହିଳା ହେଲେ ମୂଖିଆଣି ନାୟକ ।
ସୂଚନା ମୂତାବକ, ଶୁକ୍ରବାର ରାତିରେ ମୂଖିଆଣି ଏବଂ ତାଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ନାୟକ ବନ୍ୟଜନ୍ତୁଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ମଞ୍ଚାରେ ଶୋଇଥିଲେ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମଞ୍ଚା ତଳେ ନିଆଁ ଜଳାଇଥିଲେ । ବିଳମ୍ବିତ ରାତିରେ ଅଧିକ ଶୀତ ହେବାରୁ ମୂଖିଆଣି ତଳକୁ ନିଆଁ ପାଖରେ ଶୋଇବା ପାଇଁ ପଳାଇ ଆସିଥିଲେ ।
ତେବେ ଶୋଇ ଥିବାବେଳେ କୈଣସି କାରଣରୁ ମୂଖିଆଣିଙ୍କ ଶାଢିରେ ନିଆଁ ଲାଗିଯାଇଥିଲା। ପାଟି ଶୁଣି କୃଷ୍ଣଚନ୍ଦ୍ର ତଳକୁ ଓହ୍ଲେଇ ଦେଖିଲା ବେଳକୁ ତାଙ୍କର ଶରୀର ଶତକଡା 80 ଭାଗ ପୋଡ଼ିଯାଇଛି । ତାଙ୍କୁ ସଙ୍ଗେ ସଙ୍ଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ