କେନ୍ଦୁଝର: ପାଟଣା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମରେ ସାପ କାମୁଡ଼ାରେ ଜଣେ ଗୁରୁତର ମହିଳାଙ୍କୁ ଡାକ୍ତରଖାନା ନଆଣି ଗୁଣିଆ ଦ୍ଵାରା ଝଡାଫୁଙ୍କା କରିବାରୁ ମହିଳା ଜଣଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ପାଟଣା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମର ଚନ୍ଦ୍ରଶେଖର ଦଳଦସିଆଙ୍କ ସ୍ତ୍ରୀ ଲଳିତା ଦଳଦସିଆ ଶୋଇଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ଚିତି ସାପ କାମୁଡିବାରୁ ତାଙ୍କୁ ପରିବାର ଲୋକେ ଶନିବାର ଦିନ ୧୨ ପର୍ଯ୍ୟନ୍ତ ଗୁଣିଆ ଡାକି ଝଡା ଫୁଙ୍କା କରିଥିଲେ।
ଗୁଣିଆର ଝଡ଼ାଫୁଙ୍କା ଦ୍ୱାରା ମହିଳାଙ୍କ ଚେତା ନ ଆସିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଟଣା ଥାନା ଖବର ପାଇ କେସ ନଂ ୩୦/୨୦୨୦ ରେ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ