କେନ୍ଦୁଝର: ସଦର ବ୍ଲକ୍ ଅନ୍ତର୍ଗତ ପଳାଶପଙ୍ଗା ସ୍ପଞ୍ଜ ଆଇରନ କାରଖାନାରେ ବେନିୟମ ଭାବେ ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ବିକ୍ଷୋଭ ପ୍ରଦର୍ଶନ । ଏହାକୁ ବିରୋଧ କରି କମ୍ପାନୀ ଗେଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଞ୍ଚଳିକ ବିକାଶ ପରିଷଦ ।
କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ କମ୍ପାନୀ ଗେଟ ଆଗରେ ଆନ୍ଦୋଳନ କରିଛନ୍ତି । ସ୍ଥାନୀୟ ଅଞ୍ଚଳରୁ କମ୍ପାନୀ କତ୍ତୃପକ୍ଷ ଲୋକଙ୍କ ଜମି, ପାଣି, ଗଛ, ଆଦିକୁ ବ୍ୟବହାର କରି କମ୍ପାନୀ ପ୍ରତିଷ୍ଠା କରିଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରି ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ କରିବା ସହିତ ୭ଦଫା ଦାବି ନେଇ ଆଞ୍ଚଳିକ ବିକାଶ ପରିଷଦ ଏହାକୁ ବିରୋଧ କରିଛି । ଏହା ସହିତ ପ୍ରଭାବିତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସେମାନଙ୍କ ଦକ୍ଷତା ଅନୁଯାୟୀ ନିଯୁକ୍ତି ଦେବା ପାଇଁ ବିଭିନ୍ନ ସମୟରେ କାରଖାନା ସମ୍ମୁଖରେ ଆନ୍ଦୋଳନ କରଯାଇଛି ।
ଆନ୍ଦୋଳନ ସମୟରେ ପଳାଶପଙ୍ଗା, କଣ୍ଡରାପଶି, ରାଇକଳାର ଜନପ୍ରତିନିଧି, ସଦର ଥାନା ଆଇଆଇସି, ସଦର ଏସ୍ଡିପିଓଙ୍କ ସହିତ କାରଖାନା ଉଚ୍ଚ ପଦସ୍ଥ କର୍ମଚାରୀ ମଧ୍ୟରେ ଏକ ଜରୁରୀକାଳୀନ ବୈଠକ ହୋଇଥିଲା । ଆନ୍ଦୋଳନକାରୀଙ୍କ ଦାବି ଗୁଡ଼ିକ ମଧ୍ୟରୁ କିଛି କାରଖାନା କର୍ତ୍ତୃପକ୍ଷ ଗ୍ରହଣ କରିବା ପରେ ଅନଶନ ପ୍ରତ୍ୟାହାର ହୋଇଥିଲା । ତେବେ କାରଖାନା ଦେଇଥିବା ପ୍ରତିଶ୍ରୁତି ଏବଂ ଜନ ଶୁଣାଣି ସମୟରେ ଦେଇଥିବା ପ୍ରତିଶ୍ରୁତି ମଧ୍ୟରେ ବହୁତ କିଛି ପାର୍ଥକ୍ୟ ରହିଥିବାରୁ ପ୍ରଭାବିତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଲା। ଯାହାକୁ ନେଇ ଶନିବାର ପୁନର୍ବାର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଥିଲା ।
ଏହି ଘଟଣାକୁ ନେଇ ମୋହନମାଝୀ କହିଛନ୍ତି ଯେ," ପଳାଶପଙ୍ଗା ସ୍ପଞ୍ଜ ଆଇରନ କାରଖାନା ପୁଣିଥରେ ଆସନ୍ତା ୧୭ ତାରିଖରେ ପୁନଃ ଚାଲୁହେବା ପାଇଁ ଯାଉଛି । ଆମେ କାରଖାନାକୁ ଜଣାଇଥିଲୁ କି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ । କିନ୍ତୁ ସ୍ଥାନୀୟ ଲୋକଙ୍କୁ ଏଠାରେ ନିଯୁକ୍ତି ଦିଆଯାଉନାହିଁ । ଜିଲ୍ଲା ଓ ଓଡିଶା ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଉଛି । ଯାହାକୁ ଆମେ ସହଜରେ ଗ୍ରହଣ କରିପାରିବୁ ନାହିଁ । ସ୍ଥାନୀୟଲୋକ ହିସାବରେ ନିଯୁକ୍ତି ପାଇବାର ଅଧିକାର ରହିଥିବା ସତ୍ତ୍ବେ ମଧ୍ୟ ଆମକୁ ମିଳୁନାହିଁ । ଆମେ ଏନେଇ ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ କେହି ଶୁଣୁନାହାନ୍ତି । ଜନ ପ୍ରତିନିଧି ହିସାବାରେ ଯାହା କରିବା କଥା ମୁଁ କରିବି ।"
ଇଟିଭି ଭାରତ, କେନ୍ଦୁଝର