ଆନନ୍ଦପୁର: ଲକଡାଉନ ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ । ବିକ୍ରି ନହୋଇ ପନିପରିବା ପଚିସଢି ଯାଉଛି । ବଜାର ବନ୍ଦ ହେବା ତଥା କଟକଣା ଯୋଗୁଁ ବାହାରୁ ଗାଡି ଆସି ନପାରିବାରୁ କ୍ଷତି ସହୁଛନ୍ତି ଚାଷୀ । ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ଚାଷୀ ଏବେ ଚିନ୍ତାରେ ପଡିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରକୁ ପନିପରିବା ରପ୍ତାନୀ ହେଉଥିବା କେନ୍ଦୁଝରର ଢିଙ୍କିଆ ଗାଁରୁ ସ୍ବତନ୍ତ୍ର ରିପୋର୍ଟ ।
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଦେଓଗାଁ ପଞ୍ଚାୟତ ଢିଙ୍କିଆ ଗାଁର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ । ଢିଙ୍କିଆ ଗାଁରେ ବାସ କରନ୍ତି ୫ ଶହରୁ ଉର୍ଧ୍ବ ପରିବାର ଏବଂ ଅଧିକାଂଶ ଲୋକ ବର୍ଷ ସାରା ନିଜ ଜମିରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥାନ୍ତି । ନିଜ ଉତ୍ପାଦିତ ସାମଗ୍ରୀ ଧରି ଲୋକମାନେ ନିକଟସ୍ଥ ଛେନାପଦି ଛକରେ ବିକ୍ରି କରିଥାନ୍ତି । ଏଥି ସହିତ ଗାଁରୁ ବିଭିନ୍ନ ପନିପରିବା ଉତ୍ପାଦନ ହୋଇଥାଏ । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ବିଭିନ୍ନ ପନିପରିବା ଚାଷ କରିଥିଲେ ଲୋକେ । ଭଲ ଦିପଇସା ଲାଭ କରିବାର ଆଶା ମଧ୍ୟ ରଖିଥିଲେ । ସବୁଜ କ୍ଷେତରେ ସୁନାର ଫସଲ ଚାଷୀ ପୁଅ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫଳାଇଥାନ୍ତି । ଟୋମାଟ,କୋବି, ବୈତାଳୁ,କଖାରୁ, ପତ୍ରକୋବି ଓ ଅନ୍ୟାନ୍ୟ ପନିପରିବା ଚାଷୀ କରି ଦୁଇ ପରସା ରୋଜଗାରର ଆଶା ରଖିଥାନ୍ତି । କିନ୍ତୁ ସେମାନଙ୍କୁ ମାହାମାରୀ କୋରୋନା ପ୍ରଭାବ କାଳ ସାଜିଛି ।ହେଲେ ଲକଡାଉନ୍ ପ୍ରଭାବରୁ ବଜାର ବନ୍ଦ ହେବା ତଥା ବେପାରୀ ନଆସି ପାରିବା କାରଣରୁ ଚାଷୀମାନେ କ୍ଷତି ସହୁଛନ୍ତି । ଏବେ ପରିବା ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ । ବିକ୍ରି ନହୋଇ ପନିପରିବା ବିଲବାଡିରେ ପଚିସଢି ନଷ୍ଟ ହୋଇଯାଉଛି ।
ବାଲେଶ୍ବର,ଭଦ୍ରକ,ଯାଜପୁର,ମୟୁରଭଞ୍ଜ,କେନ୍ଦୁଝର ଆଦି ଜିଲ୍ଲା ତଥା ରାଜ୍ୟ ବାହାରକୁ ରପ୍ତାନୀ ହୋଇଥାଏ । ହେଲେ ଚଳିତ ବର୍ଷ ଲକଡାଉନ୍ ପ୍ରଭାବରେ ଚାଷୀମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରୀ ନହେବା କାରଣରୁ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି ଚାଷୀ । ଲକ୍ ଡାଉନ୍ ଛଡାଇ ନେଇଛି ପରିବା ଚାଷୀଙ୍କର ବର୍ଷକର ପୁଞ୍ଜି । ଏନେଇ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀଙ୍କ ରିପୋର୍ଟ, ଇଟିଭି ଭାରତ