କେନ୍ଦୁଝର: ଆଇରନ ଟ୍ରକ ଡ୍ରାଇଭରଙ୍କ ମନମାନୀ ପାଇଁ ୧୫ ଦିନର ଛୁଆକୁ ଧରି ଅଢେ଼ଇ କିଲୋମିଟର ଚାଲିଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରର ତେଲକୋଇ ବ୍ଲକରେ । ସୂଚନା ମୂତାବକ ସଲେଇକେନା ଗାଁ ମଶାଣି ସାହିର ଉପାସୀ ମୁଣ୍ଡା ତାଙ୍କର ୧୫ଦିନ ଶିଶୁର ଦେହ ଖରାପ ରହିଥିଲା । ଶିଶୁକୁ ମେଡିକାଲ ନେବାପାଇଁ ଆମ୍ବୁଲାନ୍ସକୁ ଡାକିଥିଲେ । ତେବେ ସଲେଇକେନା ରୁଗୁଡିହ ରାସ୍ତାରେ ଗୋଟିଏ ଆଇରନ ବୋଝେଇ ୧୦ଚକିଆ ଟ୍ରକ ରାସ୍ତା ମଝିରେ ଛିଡା ହୋଇଥିବାରୁ ଆମ୍ବୁଲାନ୍ସଟି ଗାଁକୁ ଯାଇପାରି ନଥିଲା । ଅଢେ଼ଇ କିଲୋମିଟର ରାସ୍ତା ଚାଲିବା ପରେ ସ୍ବାମୀ ଦଶହରା ମୁଣ୍ଡା ସହିତ ଆମ୍ବୁଲାନ୍ସ ପାଖରେ ପହଞ୍ଚି ଥିଲେ ମହିଳା । କଅଁଳା ପିଲାକୁ ଧରି ତେଲକୋଇ ମେଡିକାଲରେ ପହଞ୍ଚିବା ପରେ ପିଲାର ଅବସ୍ଥା ଗୁରୁତର ହୋଇପଡିଥିଲା ।
ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳକୁ ସ୍ଥାନାନ୍ତରିତ କରିଥିଲେ ଡାକ୍ତର । ରାସ୍ତା ମଝିରେ ୧୦ଚକିଆ ଆଇରନ ଗାଡିକୁ ଛିଡା କରି ଡ୍ରାଇଭର ମଦ୍ୟପାନ କରିବାକୁ ଯାଇଥିବା ଅଭିଯୋଗ ହୋଇଛି । ତେବେ ଆଇରନ ଟ୍ରକ ଗୁଡିକ ୪୯ ନମ୍ବର ଜାତୀୟ ରାଜପଥ ରୁଟରେ ନଯାଇ ତେଲକୋଇର ବିଭିନ୍ନ ଗାଁ ଗହିଳିର ଗଳି ରାସ୍ତାରେ ଯିବା ଆସିବା କରୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ