କେନ୍ଦୁଝର: ମହଙ୍ଗା ପଡିଲା ଭାଉଜ ପ୍ରେମ । ବଡ଼ ଭାଇର ତୀର ମାଡରେ ସାନଭାଇର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଲକ୍ଷ୍ମୀନାରାୟଣପୁର ଢିପାସାହିରେ । ଅଭିଯୁକ୍ତ କାଳିଆହତା ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ବର୍ଷେ ପୂର୍ବରୁ ସାନଭାଇ ଜିତୁ ମୁଣ୍ଡାର ଦାଦା ପୁଅ ବଡଭାଇ ଶଙ୍କର ମୁଣ୍ଡାଙ୍କ ସ୍ତ୍ରୀ ଗୁରୁବାରୀଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଭାଇ ଶଙ୍କର ଏନେଇ ଜାଣି ପାରି ଜିତୁକୁ ଏଥିରୁ ନିବୃତ୍ତ ରହିବା ପାଇଁ ବାରମ୍ବାର ତାଗିଦ କରିଥିଲେ । ହେଲେ,ବଡଭାଇର କଥାକୁ ଜିତୁ ଗୁରୁତ୍ବ ଦେଇନଥିଲା । ଗତ ୧୫ ଦିନ ତଳେ ଜିତୁ ଭାଉଜ ଗୁରୁବାରୀକୁ ନିଜ ଘରେ ଆଣି ରଖିଥିଲା । ଯାହାକୁ ନେଇ ରାଗି ଯାଇଥିଲେ ଶଙ୍କର । ଆଉ ଭାଇକୁ ତୀର ମାରି ହତ୍ୟା କରିଥିଲେ । ଘଟଣାସ୍ଥଳରେ ସାନଭାଇର ମୃତ୍ୟୁ ଘଟିଥିଲା ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ