କେନ୍ଦୁଝର: ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ । ଜନ୍ମକଲା ମାଆକୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କଲା ପୁଅ । ଗତକାଲି(ମଙ୍ଗଳବାର) ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ପଞ୍ଚାୟତ ଅନ୍ତର୍ଗତ ବନବିହାରୀପୁର ଗ୍ରାମ ମୁଣ୍ଡା ସାହିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବାର ଜଣାପଡିଛି । ମୃତକ ହେଉଛନ୍ତି ଗାଁର ତୁଲେଇ ମୁଣ୍ଡା । ଅଭିଯୁକ୍ତ ପୁଅ ଡୁବୁରୁ ମୁଣ୍ଡାକୁ ପୋଲିସ ଗିରଫ କରିଛି ।
ଯାହାସୂଚନା ରହିଛି, ମଙ୍ଗଳବାର ପ୍ରାୟ ରାତି ୯ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ପୁଅ ଡୁବୁରୁ ମୁଣ୍ଡା ତା' ପିଲାଙ୍କୁ ମାଆ ତୁଲେଇ ମୁଣ୍ଡା ଖାଇବାକୁ ଦେଉନଥିବା କହି ତାଙ୍କୁ ମାରପିଟ୍ କରିଥିଲା । ଚପଲରେ ମାଆର ହାତ ପିଟିବା ସହ ଅଗଣା ଚଟାଣରେ ତାଙ୍କ ମୁଣ୍ଡକୁ ବାରମ୍ବାର ବାଡେଇ ଥିଲା । ଫଳରେ ଗୁରୁତର ଅବସ୍ଥାରେ ମହିଳା ଘରେ ପଡି ରହି ପ୍ରାଣ ହରାଇଥିଲେ । ଆଜି(ବୁଧବାର) ସକାଳେ ଜେଜେମାଆ ମରି ପଡିଥିବାର ଦେଖି ନାତୁଣୀ ସାହି ଲୋକଙ୍କୁ ଜଣାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।