କେନ୍ଦୁଝର: ବଦଳୁଛି ସମୟ, ସମୟ ସହ ତାଳ ଦେଇ ବଦଳୁଛି ସମାଜ । ପରିବର୍ତ୍ତନ ତ୍ସୋତରେ ଏବେ ବଦଳିଛି ମଣିଷର ମାନସିକତା । ମହିଳା ଆଉ ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନୁହେଁ । ପୁରୁଷ ସହ ତାଳଦେଇ ଆଗକୁ ବଢୁଛନ୍ତି । ସେମାନେ ଯେ କୌଣସି ଗୁଣରେ କମ୍ ନୁହନ୍ତି ତାହା ପ୍ରମାଣ କରି ଦେଖାଉଛନ୍ତି । ମହିଳା ସ୍ବାବଲମ୍ବୀ ହେବାର ସଫଳ କାହାଣୀରେ ଯୋଡି ଯାଇଛି କେନ୍ଦୁଝରର ଆଦିବାସୀ ସଫଳ ଚାଷୀ ଶକୁନ୍ତଳା ଖଟେଇଙ୍କର ।
ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକ ଅଧିନସ୍ଥ କରଙ୍ଗାଢିହି ପଞ୍ଚାୟତ ଅଧିନସ୍ଥ ବୈତରଣୀ ଗ୍ରାମରେ ଶକୁନ୍ତଳା ଖଟେଇଙ୍କ ଘର । ତିନି ଝିଅ ଓ ସ୍ବାମୀଙ୍କୁ ନେଇ ତାଙ୍କର ତେଲ ଲୁଣର ସଂସାର । ପୂର୍ବରୁ ତାଙ୍କ ସ୍ବାମୀ ଧନେଶ୍ବର ଅନ୍ୟ ଜଣଙ୍କ ବଗିଚାରେ କାମ କରୁଥିଲେ । ପରେ ଘରକୁ ଫେରି ଆଉ ସେହି ସ୍ଥାନକୁ ନଯାଇ ନିଜେ ଚାଷ କରିବାକୁ ମନ ବଳାଇଥିଲେ । ଏଥିପାଇଁ ପୂର୍ଣ୍ଣ ସହଯୋଗର ହାତ ବଢାଇଲେ ଶକୁନ୍ତଳା ।
ଗାଁ ନିକଟରେ ବହିଯାଉଥିବା ଏକ ନାଳ କଡରେ ଥିବା ବିଲରେ ଆରମ୍ଭ କଲେ ବଗିଚା । ପ୍ରଥମେ ଏହି ବଗିଚା ପ୍ରସ୍ତୁତ କରିବା ପାଇଁ ୬୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲା । ସ୍ବାମୀଙ୍କ ବଗିଚା ଚାଷ ଜ୍ଞାନ ଓ ପରିଶ୍ରମ ବଳରେ ଶକୁନ୍ତଳା ଆରମ୍ଭ କଲେ ବିଭିନ୍ନ ପ୍ରକାରର ପରିବା ଚାଷ । ପ୍ରଥମେ ଭେଣ୍ଡି, କୋବି ଆଦି ପରିବାରୁ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ବର୍ଷା ଯୋଗୁଁ ପ୍ରଥମେ କ୍ଷତି ହେବାରୁ ସେଥିରେ ଭାଙ୍ଗି ନପଡି ପୁନଃର୍ବାର ପରିବା ଚାଷ କଲେ ।
ପ୍ରାୟ ଚାରି ଏକର ବିଲରେ କୋବି, ବାଇଗଣ, ଲଙ୍କା, ବିଲାତି ,ଶାଗ, ମକା ଆଦି ଚାଷ ଆରମ୍ଭ କରିଥିଲେ । ପ୍ରଥମ ବର୍ଷ ୬୦ ହଜାର ଟଙ୍କା ବ୍ୟୟରେ ଲାଭ କରିଥିଲେ ୨ ଲକ୍ଷରୁ ଅଧିକ ଟଙ୍କା । ଖାଲି ଚାଷ କାମରେ ନୁହେଁ ସ୍ବାମୀଙ୍କୁ ପରିବା ବିକ୍ରି କରିବାକୁ ସହଯୋଗ କରନ୍ତି ଶକୁନ୍ତଳା । କେନ୍ଦୁଝର ବଜାର, ନିକଟସ୍ଥ ହାଟ ଆଦିକୁ ପରିବା ନେଇ ଯାଇଥାନ୍ତି । ଏହାକୁ ବିକ୍ରି କରି ନିଜ ତିନି ପିଲାଙ୍କୁ ପଢେଇବା ସହ ସଞ୍ଚୟ ମଧ୍ୟ କରୁଛନ୍ତି ।
ବଡକଥା ହେଉଛି ଆଜିକାଲି ସଭିଁଏ ଚାଷରେ କୀଟନାଶକ ବ୍ୟବହାର କରୁଥିବା ବେଳେ ସମସ୍ତଙ୍କୁ ଠାରୁ ଭିନ୍ନ ଏହି ଦମ୍ପତି । କେବଳ ଖତ ପ୍ରୟୋଗ କରି ଚାଷକାର୍ଯ୍ୟ କରୁଥିବାରୁ ଶକୁନ୍ତଳାଙ୍କ ପନିପରିବାର ବଜାରରେ ରହିଛି ଢେର୍ ଡିମାଣ୍ଡ ।
ବିନା କୌଣସି ସରକାରୀ ସହାୟତାରେ ସଫଳ ଚାଷୀ ହୋଇପାରିଛନ୍ତି ଶକୁନ୍ତଳା । ଏହି ସ୍ବାବଲମ୍ବୀ ମହିଳାଙ୍କୁ ସରକାରଙ୍କ ତରଫରୁ ଯଦି କୌଣସି ସାହାଯ୍ୟ ସହଯୋଗ ମିଳିପାରନ୍ତା ନିଶ୍ଚୟ ସେ ଆହୁରି ଆଗକୁ ବଢି ପାରନ୍ତେ । ମହିଳା ସମାଜ ପାଇଁ ପ୍ରେରଣାର ଉତ୍ସ ହୋଇପାରନ୍ତେ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ