କେନ୍ଦୁଝର: ପୁଣି ପୋଲିସର ଜୁଲୁମ । ଗାଁରେ ପଶି ନୀରିହ ଗ୍ରାମବାସୀଙ୍କୁ ନିର୍ଦ୍ଧୁମ ମାଡ ମାରିଛି ନୟାକୋଟ ପୋଲିସ ଓ ବନ ବିଭାଗର କର୍ମଚାରୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
କେନ୍ଦୁଝର ଜିଲ୍ଲା ବାଂଶପାଲ ବ୍ଲକ ଅନ୍ତର୍ଗତ ଫୁଲଝର ଗାଁର କିଛି ବ୍ୟକ୍ତି ଜଙ୍ଗଲ ଯାଇ ବାରହା ଶିକାର କରିଥିବାନେଇ ନୟାକୋଟ ଥାନାରେ ଅଭିଯୋଗ ହୋଇଥିଲା । ଏହା ପରେ ନୟାକୋଟ ପୋଲିସ ଓ ଜଙ୍ଗଲ ବିଭାଗର କର୍ମଚାରୀ ଗାଁରେ ପହଞ୍ଚି ଘରେ ଘରେ ପସି ତଲାସୀ ନେବା ସହ ପୁରୁଷ ଲୋକଙ୍କୁ ନିର୍ଦ୍ବୟ ଭାବେ ମାଡ ମାରିଚାଲିଥିଲେ । ସେପଟେ ଜୀବନ ବିକଳରେ ଗାଁ ଛାଡି ଚାଲି ଯାଉଥିବାରୁ, 2 ଜଣକୁ ପୋଲିସ ଗାଡିରେ ବସାଇ ନେଇଯାଉଥିଲା ।
ଏହି ସମୟରେ ଗାଁର ଶତାଧିକ ମହିଳା ପୋଲିସ ଗାଡିକୁ ଅଟକାଇବା ସହ ଗିରଫ କରି ନେଇ ଯାଉଥିବା ଦୁଇ ଜଣକୁ ଛାଡିବାକୁ ଅଡି କରିଥିଲେ । ମହିଳାଙ୍କ ପ୍ରବଳ ବିରୋଧ ପରେ ପୋଲିସ 2ଜଣଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲେ ।
ସେପଟେ ଗ୍ରାମବାସୀଙ୍କୁ ମାତ୍ରାଧିକ ମାଡମରା ଘଟଣାର ଭିଡିଓ ଭାଇରାଲ ହେବା ପରେ ରାମଚନ୍ଦ୍ରପୁର ଥାନା ପରେ ଏହି ଘଟଣା ଜିଲ୍ଲା ପୋଲିସ ପ୍ରତି ସାଧାରଣ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଏହି ଘଟଣାରେ ପୋଲିସ ପ୍ରତିକ୍ରିୟା ମିଳିପାରି ନାହିଁ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ