କେନ୍ଦୁଝର: ଆର୍ଥିକ ବର୍ଷ ୨୦୧୩ - ୧୪ରେ ଗଣଶିକ୍ଷା ବିଭାଗ ଅଧିନରେ ବହୁଭାଷୀ କାର୍ଯ୍ୟକ୍ରମ ପାଇଁ ୧୫ ଟି ଜିଲ୍ଲାରେ ୨୧ ଟି ଭାଷାରେ ୩ ହଜାରରୁ ଊର୍ଦ୍ଧ୍ବ ଶିକ୍ଷା ସହାୟକଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଥିଲେ ।
ଅନୁରୂପ ଭାବେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ହୋ , ସାନ୍ତାଳୀ ଏବଂ ଜୁଆଙ୍ଗ ଭାଷାରେ ୩୧୨ ଜଣ ଶିକ୍ଷା ସହାୟକଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ ରାଜ୍ୟ ସରକାର । ନିଯୁକ୍ତିର ୩ ବର୍ଷ ପରେ ସେମାନଙ୍କୁ କନିଷ୍ଠ ଶିକ୍ଷକର ମାନ୍ୟତା ମିଳିଥିଲା । କିନ୍ତୁ ଏବେ ତାଙ୍କର କାର୍ଯ୍ୟକାଳ ୬ ବର୍ଷ ପୁରି ୮ ବର୍ଷ ଚାଲୁଥିଲେ ମଧ୍ୟ ଯୋଗ୍ୟ ଶିକ୍ଷା ସହାୟକଙ୍କୁ ନିୟମିତ କରାଯାଇନାହିଁ । ସରକାରଙ୍କ ନିୟମ ଅନୁଯାୟୀ ଜଣେ ଶିକ୍ଷା ସହାୟକ ତିନି ବର୍ଷ କାର୍ଯ୍ୟ କଲା ପରେ ତାଙ୍କୁ କନିଷ୍ଠ ଶିକ୍ଷକ ଏବଂ ସିଟି, ବିଏଡ ସହିତ ଓଟିଇଟି ପାସ ଥିଲେ ଓ ନିରବିଛିନ୍ନ ୬ ବର୍ଷ କାର୍ଯ୍ୟ କରିଥିଲେ ନିୟମିତ ଶିକ୍ଷକ ମାନ୍ୟତା ପାଇବାର ନିୟମ ରହିଛି । କିନ୍ତୁ ଏହି ନିୟମ ଅନୁଯାୟୀ ଓଡିଶାର ସମସ୍ତ ଶିକ୍ଷା ସହାୟକଙ୍କୁ ୬ ବର୍ଷ ପରେ ନିୟମିତ କରାଯାଇଛି । କିନ୍ତୁ ସମସ୍ତ ଯୋଗ୍ୟତା ହାସଲ କରି ସୁଦ୍ଧା ଆଦିବାସୀ ବୋଲି ବହୁଭାଷୀ ଶିକ୍ଷା ସହାୟକଙ୍କୁ ଅବହେଳା କରାଯାଇ ଥିବା କେନ୍ଦୁଝର ବହୁଭାଷୀ କନିଷ୍ଠ ଶିକ୍ଷକ ସଂଘ ଅଭିଯୋଗ ଆଣିଅଛି ।
ଓଡିଶାରେ ବହୁଭାଷୀ କାର୍ଯ୍ୟକ୍ରମ ଯୋଗୁଁ ଆଜି ଅନେକ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ସ୍ତରରେ ନିଜ ମାତୃଭାଷାରେ ଶିକ୍ଷା ପ୍ରଦାନ କରି ମୁଖ୍ୟସ୍ରୋତ ଆଣିବାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି । ତାହା ସହିତ ବିଦ୍ୟାଳୟ ସ୍ତରରେ ଡ୍ରପ ଆଉଟ ସଂଖ୍ୟା ମଧ୍ୟ କମି ଯାଇଛି । କିନ୍ତୁ ଏହି କାର୍ଯ୍ୟକ୍ରମକୁ ଯେଉଁମାନେ ସଫଳ ରୂପାୟନ କରୁଛନ୍ତି ସେମାନଙ୍କୁ ଅବହେଳା କରଯାଇଛି । ଏହି ବହୁଭାଷୀ ଶିକ୍ଷା ସହାୟକଙ୍କ ନିୟମିତ ପ୍ରସଙ୍ଗରେ ସଂଘ ବାରମ୍ବାର ବିଭାଗୀୟ ମନ୍ତ୍ରୀ ଏବଂ ସଚିବଙ୍କୁ ଲିଖତ ଆକାରରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ । ଏହା ଫଳରେ ଶିକ୍ଷକ ମାନେ ଦରଦାମ ବୃଦ୍ଧି ସମୟରେ ମାତ୍ର ୮ ହଜାର ୯୬ ଟଙ୍କା ମାସିକ ପାରିଶ୍ରମିକ ପାଇ ମାନସିକ ଚାପରେ ପରିବାର ପ୍ରତିପୋଷଣ କରୁଛନ୍ତି ।
ସରକାର ତୁରନ୍ତ ଓଟିଇଟି ସିଟି ପାସ କରିଥିବା ଯୋଗ୍ୟ ଶିକ୍ଷା ସହାୟକଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଜିଲ୍ଲା ବହୁଭାଷୀ ଶିକ୍ଷା ସହାୟକ ସଂଘ ଏକ ରାଲି ମାଧ୍ୟମରେ ଦାବି କରିଛି । ଆଜି (ସୋମବାର) କାଳିପଡିଆରୁ ଆସି ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ସାରା ରାଜ୍ୟରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ