କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅର୍ନ୍ତଗତ ଧାଗୋଠ ଗ୍ରାମରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଘରେ ଶୋଇଥିବା ସମୟରେ ବାହାରପଟୁ ତାଲାପକାଇ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଏଭଳି ଏକ ଅମାନୁଷିକ ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଖବର ଅନୁସାରେ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅର୍ନ୍ତଗତ ଧାଗୋଠ ଗ୍ରାମର ପଧାନ ସାହି । ରବିବାର ବିଳମ୍ବିତ ରାତିରେ ଧାଗୋଠ ଗ୍ରାମର ଉଗ୍ରସେନ ପଲେଇ ଓ ତାଙ୍କ ସ୍ତ୍ରୀ ଜୟନ୍ତୀ ଖଟୁଆ ଶୋଇଥିଲେ । ଏହି ସମୟରେ କେହି ଦୁର୍ବୃତ୍ତ ଘରର କବାଟରେ ବାହାର ପଟୁ ତାଲା ପକାଇ ନିଆଁ ଲଗାଇ ଦେଇଥିଲା । ସ୍ବାମୀ ସ୍ତ୍ରୀ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବାହାରି ପାରି ନଥିଲେ । ଉଭୟେ ଜୀବନ ବିକଳରେ ବଞ୍ଚିବାକୁ ଚିତ୍କାର କରିବାରୁ ଗାଁ ଲୋକ ଶୁଣି କବାଟ ଭାଙ୍ଗି ଉଦ୍ଧାର କରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ପଠାଯାଇଛି । ତେବେ ଉଭୟଙ୍କ ଜୀବନ ସଙ୍କଟାପନ୍ନ ଅବସ୍ଥାରେ ରହିଥିବା ସୂଚନା ରହିଛି । ନିଆଁଲାଗି ଘରର ଅନେକ ଆସବାବପତ୍ର ପୋଡି ଯାଇଛି । ଘର ବାହାରେ କିରୋସିନ ବୋତଲ ପଡିଥିବା ଦେଖାଯାଇଛି । ହରିଚନ୍ଦନପୁର ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, କେନ୍ଦୁଝର