କେନ୍ଦୁଝର: ମହାମାରୀ କୋରୋନା ଯୋଗୁଁ ସରକାର ଘୋଷଣା କରିଛନ୍ତି ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ଏପରି ସମୟରେ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଯିବା ପାଇଁ ଲମ୍ବା ଲାଇନ ଲଗାଇଛନ୍ତି । ଲକଡାଉନରେ ନିଜ ରାଜ୍ୟକୁ ବାହୁଡିଛନ୍ତି ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକ ।
ବାହାର ରାଜ୍ୟରେ ଲାଗିରହିଥିଲା ନାନା ସମସ୍ୟା । ତେଣୁ ସେମାନଙ୍କୁ ଫେରାଇ ଆଣିଛନ୍ତି ସରକାର । ହେଲେ ଏବେ ସରକାରଙ୍କ ସାମ୍ନାରେ ନୂଆ ସମସ୍ୟା ଏମାନଙ୍କ ରୋଜଗାର । ପ୍ରଥମରୁ ଲାଗିରହିଛି ଅର୍ଥନୈତିକ ସମସ୍ୟା । ଏପରି ସମୟରେ ଏତେ ସଂଖ୍ୟକ ଶ୍ରମିକଙ୍କୁ କାମ ଯୋଗାଇବା ସରକାରଙ୍କ ଆଗରେ ଚ୍ୟାଲେଞ୍ଜ । ଓଡିଶାରୁ ପ୍ରାୟ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟରେ କାମ କରୁଥିବାବେଳେ ବହୁ ସଂଖ୍ୟାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।
ତେବେ ଏବେ ଏହି ଶ୍ରମିକ ଫେରିଆସିବା ଫଳରେ ସରକାରଙ୍କୁ ଘାରିଛି ଚିନ୍ତା । କିପରି ସେମାନଙ୍କୁ ରୋଜଗାର ଯୋଗାଇବେ ତାହା ସରକାରଙ୍କ ପାଇଁ ଟେନସନ ପାଲଟିଛି । ତେବେ ଶ୍ରମିକଙ୍କ ପରିବାର ପ୍ରତିପୋଷଣ ପାଇଁ ନୂତନ ସମ୍ଭାବନାର ଆଶା ନେଇ ଆସିଛି ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା । କେନ୍ଦୁଝରରେ ଏହା ଅଧୀନରେ କାମ ଯୋଗାଇଛି ମୃତ୍ତିକା ସଂରକ୍ଷଣ ବିଭାଗ । ଜଳ ବିଭାଜିକା ଯୋଜନାରେ ଆରମ୍ଭ ହୋଇଛି କାମ । ବିଭିନ୍ନ ବ୍ଲକରେ ୨୭୪ଟି ଫାର୍ମ ପୋଖରୀ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ପ୍ରବାସୀ ଶ୍ରମିକ ।
ନିଜ ଗାଁ ନିକଟରେ ମିଳିବ କାମ । ନିଜ ଦକ୍ଷତା ଅନୁସାରେ ପାଇବେ ମଜୁରୀ । ଘରେ ବସି ରହିଥିବା ଶ୍ରମିକଙ୍କ ଶୁଖିଲା ମୁହଁରେ ଏହା ଫୁଟାଇଛି ହସ । ଘରକୁ ଦି ପଇସା ଆଣିବା ସହ ପେଟପାଟଣାର ଉପାୟ ମିଳିଥିବାରୁ ଖୁସି ଅଛନ୍ତି ଶ୍ରମିକ । ହୁଏତ ଆଗାମୀ ଦିନରେ ଦାଦନ ଖଟିବାକୁ ବାହାରକୁ ଯିବାକୁ ନପଡିପାରେ ସୃଷ୍ଟି ହୋଇଛି ଆଶା । ସେପଟେ ଶ୍ରମିକଙ୍କୁ ସମସ୍ତ ସହାୟତା ଦେବାକୁ ବିଭାଗ ଦେଇଛି ପ୍ରତିଶ୍ରୁତି । ଏହି ଯୋଜନାରେ ପୁରଣ ହୋଇଛି 2ଟା ଲକ୍ଷ୍ୟ । ଗୋଟିଏ ପଟେ ବସିରହିଥିବା ଶ୍ରମିକଙ୍କୁ ମିଳିଛି କାମ । ଅନ୍ୟପଟେ ଏହାଦ୍ବାରା ପୁରା ହେବାକୁ ଯାଉଛି ଅଧା ପଡିଥିବା ପ୍ରକଳ୍ପ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ