କେନ୍ଦୁଝର: ଘରୋଇ କଳିରୁ ଯୁବକଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତ ନଇବୁଗା ସ୍ଥିତ ଦବୁନା କ୍ୟାମ୍ପରେ। ମୃତକ ଜଣଙ୍କ ହେଲେ ବାବୁଲି ମହାକୁଡ । ପାରିବାରିକ କଳହରୁ ବାବୁଲି ଆତ୍ମହତ୍ୟା କରିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।
ସୋମବାର ବିଳମ୍ବିତ ରାତିରେ ବାବୁଲି ମହାକୁଡ଼ ଓ ତାଙ୍କ ସ୍ତ୍ରୀ ଏମାନି ମହାକୁଡ଼ଙ୍କ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା । ଏହାକୁ କେନ୍ଦ୍ର କରି ସ୍ବାମୀ ବାବୁଲି ତାଙ୍କ ସ୍ତ୍ରୀକୁ ଘରୁ ବାହାରକୁ ତଡ଼ି ଦେଇଥିଲେ । ସ୍ତ୍ରୀ ଭୟରେ ପଡୋଶୀ ଘରେ ଯାଇ ଆଶ୍ରୟ ନେଇଥିଲେ । ଏହା ପରେ ରାତିରେ ସ୍ବାମୀ ବାବୁଲି ନିଜ ଘରେ ଗାମୁଛାରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ତାଙ୍କ ସ୍ତ୍ରୀ ଏମାନି ଘରକୁ ଫେରି କବାଟ ଭିତରପଟୁ ବନ୍ଦ ଥିବା ଦେଖି ପଡ଼ୋଶୀଙ୍କୁ ଡାକିଥିଲେ । ପରେ ଘର ଭିତରେ ବାବୁଲିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା । ବାବୁଲିଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଜଣ ଝିଅ ଥିବା ଜଣାପଡିଛି । ଏନେଇ ଖବର ପାଇବା ପରେ ବାମେବାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ