ଆନନ୍ଦପୁର: ରକ୍ଷଣାବେକ୍ଷଣ ଅଭାବରୁ ୮ଶହ ବର୍ଷର ପୁରୁଣା ରାମ ମନ୍ଦିର ଏବେ ଶ୍ରୀହୀନ ହୋଇ ପଡ଼ିଛି । ସ୍ବପ୍ନାଦେଶ ପରେ ଆନନ୍ଦପୁରର ବୀରଗୋବିନ୍ଦପୁରରେ ଥିବା ରାମ ନିର୍ମାଣ ହୋଇଥିବା କିମ୍ବଦନ୍ତୀ ରହିଛି । ପୂର୍ବରୁ ମନ୍ଦିରରେ ପର୍ବପର୍ବାଣୀ ବହୁ ଜାକଜମକରେ ପାଳିତ ହେଉଥିଲା । ହେଲେ, ରକ୍ଷଣାବେକ୍ଷଣ ଅଭାବରୁ ପୁରାତନ ରାମ ମନ୍ଦିର ନିଜ ଅସ୍ତିତ୍ବ ହରାଇବାକୁ ବସିଛି ।
କେନ୍ଦୁଝର ଜିଲ୍ଲା ୨୦ନମ୍ବର ଜାତୀୟ ରାଜପଥ ଘସିପୁରାରୁ କେନ୍ଦୁଝର ଯିବା ରାସ୍ତାକଡ଼ରେ ରହିଛି ରାମଭକ୍ତ ହନୁମାନଙ୍କର ଏକ ବିଗ୍ରହ। ଏହି ବିଗ୍ରହ ଓଡ଼ିଶାର ବୀରଗୋବିନ୍ଦପୁରର ଏକ ସର୍ବ ପୁରାତନ ରଘୁନାଥଜୀଉ ମନ୍ଦିରକୁ ବାଟ କଢ଼ାଇ ନିଏ । କାଞ୍ଚି ବିଜୟର ସେନାପତି କେନ୍ଦୁଝରର ରାଜା ଗୋବିନ୍ଦ ଭଞ୍ଜ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ । କାଞ୍ଚି ବିଜୟ ପରେ ପୁରୀ ରାଜାଙ୍କଠାରୁ ଉପହାର ସ୍ବରୁପ ଗୋବିନ୍ଦ ଭଞ୍ଜ ଦଣ୍ଡଦେବୀ, ମା ତାରିଣୀ ଓ ରଘୁନାଥଜୀଉଙ୍କୁ ପାଇଥିଲେ । କୁହାଯାଏ ସ୍ବପ୍ନାଦେଶ ପରେ ମା ତାରିଣୀଙ୍କୁ ଘଟଗାଁରେ, ଦଣ୍ଡଦେବୀଙ୍କୁ ରାଜ ଉଆସ ଏବଂ ଶ୍ରୀରାମଙ୍କ ମୁଗୁନି ପଥର ପ୍ରତିମା ବୀରଗୋବିନ୍ଦପୁରଠାରେ ପ୍ରତିଷ୍ଠା କରିଥିଲେ । ସେଥିପାଇଁ ଗାଁର ନାମ ହେଲା ବୀରଗୋବିନ୍ଦପୁର ।
ସେହି ସମୟରେ ରାଜା ଗୋବିନ୍ଦ ଭଞ୍ଜ ପ୍ରତିଦିନ ଘୋଡ଼ାଚଢ଼ି ରାଜ ଉଆସରୁ ରଘୁନାଥଜୀଉଙ୍କ ଦର୍ଶନ ପାଇଁ ବୀରଗୋବିନ୍ଦପୁର ଆସୁଥିଲେ । ମନ୍ଦିରର ସମସ୍ତ ରୀତିନୀତି ଜାକଜମକରେ ପାଳିତ ହେଉଥିଲା । ଏହାପରେ ମଧ୍ୟ ମନ୍ଦିରର ସମସ୍ତ ରୀତିନୀତି ସଠିକ ଭାବରେ ପାଳିତ ହେଉଥିଲା । ହେଲେ ୧୯୭୨ ମସିହାରେ ରଘୁନାଥଜୀଉ ମନ୍ଦିର ଦେବୋତ୍ତର ବିଭାଗକୁ ହସ୍ତାନ୍ତର ପରେ ବର୍ତ୍ତମାନ ମନ୍ଦିର ତାର ନିଜ ଅସ୍ତତ୍ବ ହରାଇବାକୁ ବସିଛି । ମନ୍ଦିର ସମ୍ପତ୍ତିର ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ସରଞ୍ଜାମ ଅଭାବରୁ ରୀତିନୀତି, ପର୍ବ ପର୍ବାଣୀ, ଏପରିକି ରାମ ନବମୀ ମଧ୍ୟ ଠିକ୍ ଭାବେ ପାଳିତ ହେଇ ପାରିଲା ନାହିଁ ।
ମୁଖ୍ୟ ମନ୍ଦିରର ଗୋଟିଏ ପାର୍ଶ୍ବରେ ରାମେଶ୍ବର ମହାଦେବ ଓ ଅନ୍ୟ ପାର୍ଶ୍ବରେ ରହିଛି ଏକକ ଜଗନ୍ନାଥଙ୍କ ମନ୍ଦିର । ପୂର୍ବରୁ ପ୍ରଭୁ ଶ୍ରୀରାମ ବିମାନରେ ବସି ଦୋଳ ପୂର୍ଣ୍ଣିମାରେ ପ୍ରଭୁ ଶ୍ରୀରାମ ଆନନ୍ଦପୁର ସହର ପରିକ୍ରମା କରୁଥିଲେ । ୭ ଦିନ ଧରି ପାଳିତ ହେଉଥିବା ରାମ ନବମୀରେ ଆଦିବାସୀ ନୃତ୍ୟ, ପାଲା, ଭଜନ କୀର୍ତ୍ତନ ଆଦିରେ ଅଞ୍ଚଳ ମୁଖରିତ ହୋଇ ଉଠୁଥିଲା । ଯାହାଫଳରେ ଏହି ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥିଲା । ରାମନବମୀର ନଅ ଦିନରେ ଚଳଚଞ୍ଚଳ ହୋଇ ରହୁଥିଲା ବୀରଗୋବିନ୍ଦପୁର ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ