ଆନନ୍ଦପୁର : କିଡନୀ ରୋଗରେ ଆକ୍ରାନ୍ତ କେନ୍ଦୁଝର ନୂଆମାଳିଆ ଆଦିବାସୀ ସାହିର ବୈଷ୍ଣବ । ଚିକିତ୍ସା ପାଇଁ ଆର୍ଥ ସାଜିଛି ବାଧକ । ପ୍ରଥମେ ସ୍ତ୍ରୀ ପର କରି ଚାଲିଗଲେ । ମୂଲ ମଜୁରୀ କରି ଘର ଚଳୁଥିଲା । ହେଲେ,ଦଇବ ସାଜିଲା ବଇରୀ । ବର୍ଷେ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ରହିଛନ୍ତି ବୈଷ୍ଣବ । ଘରେ ୪ଜଣ ପିଲାଙ୍କ ପାଇଁ ଦୁଇ ଓଳି ଖାଇବା ଯୋଗାଡ କରିବା କାଠିକର ପାଠ ହୋଇ ପଡିଥିବା ବେଳେ,ନିଜର ଚିକିତ୍ସା କଥା ପଚାରେ କିଏ । ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବୈଷ୍ଣବ ଏବେ ଭଗବାନଙ୍କ ଭରସାରେ ପଡି ରହିଛନ୍ତି । ବର୍ଷେ ହେଲା ବିଛଣାରେ ପଡି ଦିନ ଗଣୁଛନ୍ତି ବୈଷ୍ଣବ । ଔଷଧ ବିନା ବିଛଣାରେ ପଡି ଗୋଡ,ହାତ,ମୁହଁ ଫୁଲି ଗଲାଣି ।
ଖାଦ୍ୟ ଅଭାବରେ ଘରେ ପଡି ରହିଛନ୍ତି ଚାରି ଜଣ ଛୁଆ । ବାଧ୍ୟ ହୋଇ ୧୨ବର୍ଷର ପୁଅ ପର ଘରେ ମୂଲ ଲାଗୁଛି । ଦୀର୍ଘ ଦିନ ଧରି ବିଛଣାରେ ପଡି ରହିଥିଲେ ସୁଦ୍ଧା ସରକାରୀ ସହାୟତା ମିଳି ପାରିନାହିଁ । ଏକ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ତାଙ୍କୁ ଆର୍ଥିକ ସହାୟତା ଦିଆଯାଇଛି । ହେଲେ,ତାହା ସମୁଦ୍ରକୁ ସଙ୍ଖେ । ବୈଷ୍ଣବଙ୍କ ତୁରନ୍ତ ଚିକିତ୍ସା କରାଯିବା ସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ