ଆନନ୍ଦପୁର: ରାଜ୍ୟ ହୁଅନ୍ତୁ ଅବା କେନ୍ଦ୍ର ସରକାର । ଗରିବ ଅସହାୟଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି ଟଙ୍କା । କିନ୍ତୁ ଆଜି ବି ଚିକିତ୍ସା ଅଭାବରୁ କାହାର ଅକାଳରେ ଜୀବନ ଗଲାଣି ତ ଆଉ କିଏ ବଞ୍ଚିବା ପାଇଁ କରୁଛି ସଙ୍ଘର୍ଷ । ଆଉ ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଘଷିପୁରା ବ୍ଲକ ସାଇଁକୁଳ ଗ୍ରାମର ଦିଗମ୍ବର ଶାଙ୍କ ପରିବାର ।
ସାଇଁକୁଳ ଗ୍ରାମର ଦିଗମ୍ବର ଶା । ସ୍ତ୍ରୀ, ପୁଅ, ଝିଅକୁ ନେଇ ହସ ଖୁସିରେ ଚାଲିଥିଲା ସଂସାର । କିନ୍ତୁ 5 ବର୍ଷ ତଳେ ଛାତ ଉପରେ କାମ କରୁଥିବା ବେଳେ ହଠାତ ତଳକୁ ଖସି ପଡିଥିଲେ ଦିଗମ୍ବର । ସଞ୍ଚିତ ଟଙ୍କାରେ କଟକ ମେଡିକାଲ ନେଇଥିଲେ ପରିବାର, ହେଲେ କିଛି ସୁଫଳ ମିଳିନଥିଲା । କାରଣ ଅପରେସନ ପାଇଁ ଦରକାର ଥିଲା ଲକ୍ଷାଧିକ ଟଙ୍କା । ହେଲେ ଯେଉଁଠି ମାସିକ ଔଷଧ ଯୋଗାଡ କରିବାକୁ ଅକ୍ଷମ ସେଠି ଅପରେସନ ପାଇଁ ସାହସ ଜୁଟାଇବେ ବା କେମିତି । ଏବେ 500 ଟଙ୍କା ଭତ୍ତା ହିଁ ସେମାନଙ୍କ ସାହା ଭରସା । ଫଳରେ ସେହି ଦିନଠୁ ସ୍ନାୟୁ ଜନିତ ରୋଗରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଦିଗମ୍ବର ।
ଏହି ପରିବାର ଏବେ ଦୁର୍ଦ୍ଦିନରେ ରହିଥିବା ବେଳେ ପ୍ରଶାସନ ନା କୌଣସି ଅନୁଷ୍ଠାନ କେହି ହେଲେ ସହାୟତାର ହାତ ବଢ଼ାଇ ନାହାଁନ୍ତି । ତେଣୁ ପ୍ରଶାସନ ସ୍ତରରେ ତଦନ୍ତ କରାଯାଇ ଦିଗମ୍ବରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଏବେ ସାଧାରଣରେ ଦାବି ହୋଇଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ