କେନ୍ଦୁଝର: ଜିଲ୍ଲା ତେଲକୋଇରେ ସାରର ଅଭାବକୁ ନେଇ ଲ୍ୟାମ୍ପ ଘେରାଉ କଲେ ଚାଷୀ । ତୁରନ୍ତ ସରକାରୀ ମୂଲ୍ୟରେ ସାର ଯୋଗାଇ ଦେବା ସହ ସାର କଳାବଜାରୀକୁ ରୋକିବା ପାଇଁ ଶହ ଶହ ଚାଷୀ ତେଲକୋଇ ଲ୍ୟାମ୍ପସକୁ ଘେରାଉ କରିଛନ୍ତି ।
ତେଲକୋଇ ବ୍ଲକରେ ସାରର କୁତ୍ରିମ ଅଭାବ ଦେଖାଦେଇଛି । ତେଲକୋଇ ଲ୍ୟାମ୍ପସ ପକ୍ଷରୁ ଚାଷୀଙ୍କୁ ୟୁରିଆ ସାର ସରକାରୀ ମୂଲ୍ୟରେ ଯୋଗାଇବାରେ ଟାଳଟୂଳ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଷ୍ଟକରେ ୟୁରିଆ ସାର ମହଜୁଦ ଥିଲେ ମଧ୍ୟ ଜାଣିଶୁଣି ଲ୍ୟାମ୍ପସର ଏମଡି ଚାଷୀଙ୍କୁ ଭୂଆଁ ବୁଲାଉ ଥିବା କହିଛନ୍ତି ଚାଷୀ । ଫଳରେ ଚାଷୀ ବଜାରରୁ ଚଢାଦରରେ ୟୁରିଆ ସାର କିଣିବାକୁ ବାଧ୍ୟ ହେଉଛି । ତେବେ ଲ୍ୟାମ୍ପସରେ ୟୁରିଆ ସାର ଠିକ ସମୟରେ ମିଳୁନଥିବାରୁ ଚାଷୀ ଏବେ ଚିନ୍ତାରେ ପଡିଯାଇଛି ।
ସଠିକ ସମୟରେ ଜମିରେ ସାର ପ୍ରୟୋଗ ନକଲେ ଧାନ ଅମଳ କମ ହେବାର ଆଶଙ୍କା ରହିଛି । ସେଥିପାଇଁ ଚାଷୀ ବଜାରକୁ ଚଢାଦରରେ ୟୁରିଆ ସାର କିଣୁଛନ୍ତି । ୟୁରିଆ ସାର ଏକ ବସ୍ତାକୁ ସରକାର ୨୭୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରି ଚାଷୀଙ୍କୁ ଯୋଗାଇ ଦେଉଥିବାବେଳେ ବଜାରରେ ସେହି ବସ୍ତାଏ ସାରକୁ ଦୋକାନୀ କଳା ବଜାରରେ ଚାଷୀ ୬୦୦ ଟଙ୍କାରେ ବିକ୍ରି କରୁଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ଲ୍ୟାମ୍ପ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ