କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଚାଞ୍ଚଲ୍ୟ । ଦମ୍ପତିଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ(Couple Shot Dead In Keonjhar) । ଗତକାଲି ରାତି ପ୍ରାୟ ସାଢେ ୮ଟା ସମୟରେ କେନ୍ଦୁଝର ବଲାଣି ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି । ଗ୍ରାମର ତେଜରାତି ବ୍ୟବସାୟୀ ଲକ୍ଷ୍ମୀଧର ଆପଟଙ୍କ ସହ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହତ୍ୟା ପରେ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଛନ୍ତି । ତେବେ ୪ ଜଣ ଦୁର୍ବୃତ୍ତ ଏହି ବୀଭତ୍ସ କାଣ୍ଡ ଘଟାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ: ତଣ୍ଟିରେ ଅଟକିଗଲା ଚକୋଲେଟ, ଚାଲିଗଲା ନାବାଳକର ଜୀବନ
ସୂଚନା ମୁତାବକ, ସୋମବାର ରାତି ପ୍ରାୟ ସାଢେ ୮ଟା ସମୟରେ ଲର୍ସଦା ଗ୍ରାମରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ଲକ୍ଷ୍ମୀଧର ଆପଟ ଓ ତାଙ୍କ ପତ୍ନୀ ମଞ୍ଜୁଲତା ଆପଟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ହତ୍ୟା କରିବା ପରେ ଦୁଇ ଜଣ ଦୁର୍ବୃତ୍ତ ବାଇକ ଯୋଗେଁ ବିଆରପିଏଲ ରାସ୍ତା ଦେଇ ଫେରାର୍ ହୋଇଯାଇଥିବାବେଳେ, ଅନ୍ୟ ଦୁଇ ଜଣ ଘର ସାମ୍ନାରେ ଥିବା ପାହାଡ଼ ଦେଇ ଦୌଡ଼ି ପଳାଇଥିବାର ଗ୍ରାମବାସୀ କହିଛନ୍ତି ।
ଖବର ପାଇ ବଲାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ କଣ ପାଇଁ ଏହି ଗୁଳିକାଣ୍ଡ ଘଟିଲା ସେନେଇ ତଦନ୍ତ ଚାଲିଥିବାବେଳେ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ଖୋଜାଖୋଜି ଚଳାଇଛି । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।
ଇଟିଭି ଭାରତ, କେନ୍ଦୁଝର