କେନ୍ଦୁଝର: ପିସି କାରବାରକୁ ନେଇ ଚର୍ଚ୍ଚାରେ କେନ୍ଦୁଝରର ଘସିପୁରା ବ୍ଲକ । ଘସିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁଙ୍କ ଆକାଉଣ୍ଟକୁ ଜଣେ ଠିକାଦାରଙ୍କ ଆକାଉଣ୍ଟରୁ ୨୮ ଲକ୍ଷ ଟଙ୍କା ପଠାଯାଇଛି । ଠିକାଦାରଙ୍କ ବ୍ୟାଙ୍କର ଷ୍ଟେଟମେଣ୍ଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । କୌଣସି ଠିକାକାମ ପାଇଁ ପିସି ବାବଦକୁ ଏହି ଅର୍ଥ ଦିଆଯାଇଥିବା ଚର୍ଚ୍ଚା ହେଉଛି । କାହିଁକି ଏତେଟଙ୍କା ବ୍ଲକ ଅଧ୍ୟକ୍ଷଙ୍କ ଆକାଉଣ୍ଟକୁ ପଠାଯାଇଥିଲା ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ଗୁମର ଖୋଲିବ ବୋଲି ମଧ୍ୟ ଆଲୋଚନା ହେଉଛି।
ତେବେ ବ୍ୟାଙ୍କ ଷ୍ଟେଟମେଣ୍ଟରେ ରହିଥିବା ତଥ୍ୟ ଅନୁସାରେ, ଗତ ୨୦୨୦ ଜାନୁଆରୀ ୧୬ରେ ଘସିପୁରା ବ୍ଲକ ତରୁଆଁ ଗାଁର ଠିକାଦାର ଦୀପକ ବେହେରାଙ୍କ ଜମାଖାତାରୁ ଅଧ୍ୟକ୍ଷାଙ୍କ ଜମାଖାତାକୁ ଚେକ୍ ନମ୍ବର ୩୧୪୫୫ ମାଧ୍ୟମରେ ୨୮ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିଲା। ତେବେ ଅଧ୍ୟକ୍ଷାଙ୍କ ଆକାଉଣ୍ଟକୁ କାହିଁକି ଏତେ ଟଙ୍କା ପଠାଇଥିଲେ ? ତାକୁ ନେଇ ଠିକାଦାର ମୁହଁ ଖୋଲିଥିବା ବେଳେ ପୁଣି ପିସି କାରବାରକୁ ନେଇ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି । ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଅଧ୍ୟକ୍ଷାଙ୍କ ସ୍ବାମୀ ବାବନ ସାହୁ ୩୦ ଲକ୍ଷ ଟଙ୍କାର ଏକ ରାସ୍ତାକାମ ଦୀପକଙ୍କ ଲାଇସେନ୍ସରେ କରିଥିଲେ। କାମ ସମ୍ପୂର୍ଣ୍ଣ ହୋଇ ବିଲ ମିଳିବା ପରେ ଦୀପକ ଏହି ଅର୍ଥ ତାଙ୍କ ପତ୍ନୀଙ୍କ ଜମାଖାତାକୁ ପଠାଇଥିବା ପ୍ରକାଶ କରିଥିବା ଜଣାପଡ଼ିଛି ।
ଅପରପକ୍ଷରେ ଠିକାଦାର ଦୀପକ ବେହେରା ନିଜେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଆରଏମ୍ସିର ୩ କୋଟି ୫୦ ଲକ୍ଷ ଟଙ୍କାର କାମ କରିଥିଲେ । ତାଙ୍କୁ ୩୦ଲକ୍ଷ ଟଙ୍କା ମଗାଯାଇଥିଲା । ସେ ଚାନ୍ଦା ବାବଦକୁ ଏହି ଅର୍ଥ ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁଙ୍କ ଆକାଉଣ୍ଟକୁ ପଠାଇଥିଲେ। ଏହା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଅନେକଥର ଦାବି ମୁତାବକ ଟଙ୍କା ଦେଇଥିବା ଦୀପକ କହିଛନ୍ତି ।
ସୂଚନାଯୋଗ୍ୟ ଯେ ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ ବାବନ ସାହୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ନିକଟତମ ବ୍ୟକ୍ତି ହୋଇଥିବାରୁ ଏହାକୁ ନେଇ ଅଧିକ ଚର୍ଚ୍ଚା ହୋଇଛି । ଘସିପୁରା ବ୍ଲକରେ ଚାଲିଥିବା ପିସି କାରବାର ସମ୍ପର୍କରେ ତଦନ୍ତ କଲେ ଅନେକ ଗୁମର ଖୋଲିବ ବୋଲି ଠିକାଦାର ଦୀପକ ବେହେରା ପ୍ରକାଶ କରିଛନ୍ତି । ତେବେ ଏହି କଥାକୁ ସେ ଖୁଲାସା କରିବାରୁ ତାଙ୍କୁ ଧମକ ଦିଆଯାଉଥିବା ବେଳେ ସେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି । ଏନେଇ ଘଷିପୁରା ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ବାବନ ସାହୁଙ୍କ ପତିକ୍ରିୟା ମିଳିପାରିନାହିଁ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ