ଆନନ୍ଦପୁର: ବକେୟା ଶୁଳ୍କ ଆଦାୟବେଳେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଆନନ୍ଦପୁର ଅଣା ଛକ ନିକଟରେ ଆଜି(ମଙ୍ଗଳବାର) ଏହି ଅମାନବୀୟ କାଣ୍ଡ ଘଟିଛି । ଗୁରୁତର ଅବସ୍ଥାରେ ନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଯନ୍ତ୍ରୀଙ୍କ ପକ୍ଷରୁ ନନ୍ଦିପଦା ଥାନାରେ ଏକ ଏତଲା ଦାୟର ହୋଇଛି । ସେପଟେ ଅଭିଯୁକ୍ତ ଏହି ଘଟଣା ଭିଆଇ କୁଆଡେ ଫେରାର ହୋଇଯାଇଛି ।
ସୂଚନା ମୁତାବକ, ବିଦ୍ୟୁତ ଶୁଳ୍କ ପୈଠ କରି ନଥିବା ଉପଭୋକ୍ତାଙ୍କ ଠାରୁ ଶୁଳ୍କ ଆଦାୟ ତଥା ଶୁଳ୍କ ନଦେଲେ ବିଦ୍ୟୁତ କାଟ କରିବାକୁ ଆଜି ନିଜ ସହକର୍ମୀଙ୍କ ସହ ହାଟଡିହି ବ୍ଲକ ଯାଇଥିଲେ ନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ । ଅଣା ଛକ ନିକଟରେ ଘନଶ୍ୟାମ ମହାପାତ୍ର 3 ବର୍ଷ ହେଲା ବିଦ୍ୟୁତ ଶୁଳ୍କ ଦେଉ ନଥିବାରୁ ତାଙ୍କ ବିଦ୍ୟୁତ କାଟ କରିବାକୁ କହିଥିଲେ । ଏନେଇ ଘନଶ୍ୟାମଙ୍କ ପୁଅ ଅନିଲ ଏକ କାଠ ଫାଳିଆରେ ନିର୍ବାହୀ ଯନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ।
ଘଟଣାସ୍ଥଳରେ କିଛି ଲୋକ ଉପସ୍ଥିତ ଥିଲେ ମଧ୍ୟ କାହା କଥା ନମାନି ଅଭିଯୁକ୍ତଟି ଚିତ୍ତରଞ୍ଜନଙ୍କ ଡାହାଣ ହାତରେ କାଠ ଫାଳିଆରେ ପ୍ରଚଣ୍ଡ ପ୍ରହାର କରିଥିଲା । ଫଳରେ ସେ ତଳେ ପଡିଯାଇ ଚିତ୍କାର କରିଥିଲେ । ଏହାପରେ ତାଙ୍କ ମୁଣ୍ଡକୁ ମଧ୍ୟ କାଠ ଫାଳିଆରେ ଆଉ ଥରେ ମାଡ ମାରିଥିଲା । କୌଣସି ମତେ ନିର୍ବାହୀ ଯନ୍ତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବାକୁ ଛାନଭିନ ଆରମ୍ଭ କରିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ