କେନ୍ଦୁଝର: କୋରୋନା କଟକଣା ପରେ ପୁଣି କେନ୍ଦୁଝରରେ ଆରମ୍ଭ ହେବ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏନେଇ କେନ୍ଦୁଝର ଜିଲ୍ଲାର କ୍ରୀଡା ଅନୁଷ୍ଠାନ ଶଙ୍କର ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ହୋଟେଲ କାଶବି ଠାରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ତଥା ରାଜ୍ୟ ଯୁବ ବିଜେଡିର ଉପସଭାପତି ସୋମ୍ୟଶଙ୍କର ଚକ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ନେଇ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଦୀର୍ଘ ଦୁଇ ବର୍ଷ ସାରା ଦେଶରେ କୋଭିଡ କଟକଣା ଲାଗୁ ହୋଇଥିଲା । ଏହି କଟକଣା ପାଇଁ ବହୁ ପର୍ବପର୍ବାଣୀ, ସାମୁହିକ କ୍ରୀଡା ଆଦି ବନ୍ଦ ରହିଥିଲା । କଟକଣା ହଟିବା ପରେ କେନ୍ଦୁଝର ଜିଲ୍ଲାର ବହୁ ପୁରାତନ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସଭାପତି କହିଛନ୍ତି,‘‘ ଆସନ୍ତା ମାର୍ଚ୍ଚ ୧ ତାରିଖରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ୭ ତାରିଖରେ ଉଦଯାପନ ହେଵ । ସ୍ଥାନୀୟ ଓଏସଏମଇ ଗ୍ରାଉଣ୍ଡରେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ଉକ୍ତ ଖେଳରେ ରାଜ୍ୟ ଭିତରୁ ୫ ଟି ଶକ୍ତିଶାଳୀ କ୍ରିକେଟ ଟିମ ରାଜ୍ୟ ଭିତରର ଏବଂ ରାଜ୍ୟବାହାରୁ ୭ ଟି ଟିମକୁ ନେଇ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ବିଜୟୀ ଟିମକୁ ୨ଲକ୍ଷ ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଟିମ ୧ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ ।’’
ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଇସିସି ସମସ୍ତ ନିୟମ ଅନୁଯାୟୀ ଖେଳ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିଶେଷ ଆକର୍ଷଣ ଥାର୍ଡ ଏମ୍ପିୟାର ସହ ଚିୟର ଗାର୍ଲ ରହିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ସମସ୍ତ ମ୍ୟାଚରେ ବିସିସିସିଆଇ ଅନୁବନ୍ଧିତ ଏମ୍ପିୟାର ରହିବାର ବ୍ୟବସ୍ଥା ଥିବା ମଧ୍ୟ କୁହାଯାଇଛି ।
କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କ୍ରିକେଟରେ ବିଶେଷ ଅବଦାନ ପାଇଁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ସହ ରାଜ୍ୟସ୍ତରୀୟ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯିବାର ବ୍ୟବସ୍ଥା ଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଫେବୃଆରୀ ୨୮ ତାରିଖ ଦିନ ପ୍ରେସ ଏକାଦଶ ସହିତ କେନ୍ଦୁଝର ନାଗରିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହେଵ ବୋଲି ଆୟୋଜକ ବୃନ୍ଦ ପ୍ରକାଶ କରିଛନ୍ତି । ଏହି ଖେଳ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କ୍ଲବର ବରିଷ୍ଠ ସଦସ୍ୟ ସମୀର ମିଶ୍ର, ଶୁଭେନ୍ଦୁ ପଟ୍ଟନାୟକ, ଗିରିଶ ଚନ୍ଦ୍ର ହୋତା ଉପସ୍ଥିତ ଥିଲେ ।
ଇଟିଭି ଭାରତ, କେନ୍ଦୁଝର