କେନ୍ଦୁଝର: ଜିଲ୍ଲାର କାଞ୍ଜିପାଣି ଥାନା ଅନ୍ତର୍ଗତ ବେଣିଡିହି ଗ୍ରାମସ୍ଥିତ ମା ତାରିଣୀ ମାଇନିଂ ସର୍ଭିସ ଷ୍ଟୋନ କ୍ବାଆରୀରେ ଅଭାବନୀୟ ଘଟଣା । ମୋବାଇଲ କ୍ରସର ମେସିନକୁ ସ୍ଥାନାନ୍ତର କରାଯାଉଥିବାବେଳେ ଦୁର୍ଘଟଣା । ଜଣେ ଯୁବକ ମୃତ ।
ମୃତକ ଜଣକ ହେଲେ କାଞ୍ଜିପାଣି ଥାନା ବେଣିଡିହି ଗ୍ରାମ ଅମରସା ସାହିର ସ୍ବର୍ଗତ ଶୁକୁଟା ସନଗିଙ୍କ ପୁଅ ଭରତ ସନଗି । ଏକ ପୁରୁଣା କ୍ରସର ମେସିନକୁ ଅନଭିଜ୍ଞ ଶ୍ରମିକଙ୍କ ଦ୍ବାରା ବିନା ସୁରକ୍ଷାରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବାବେଳେ ମେସିନ ଖସି ପଡିବାରୁ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।
ଯୁବକ ଜଣକ ସେଠାରେ ହେଲଫର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ତେବେ ସୌଭାଗ୍ୟକୁ ଅନ୍ୟ 5 ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀ କ୍ରସରକୁ ବନ୍ଦ କରିଦେଇଛନ୍ତି । ସେପଟେ ଖବର ପାଇ ଘଟଣାସ୍ଥଳରେ କାଞ୍ଜିପାଣି ଓ ତେଲକୋଇ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ତେବେ ମୃତକଙ୍କ ପରିବାରକୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ସହ କ୍ରସରକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ