କେନ୍ଦୁଝର: କୋରୋନାର ଦ୍ୱିତୀୟ ଲହରି ତାର କାୟା ବିସ୍ତାର କରିଚାଲିଛି । ଏହି ଲହରିରେ ରାଜ୍ୟର ବହୁ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିବାର ନା ନେଉନାହିଁ । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ସରକାର ରାଜ୍ୟର ବିଭିନ୍ନ ଜେଲରେ ଥିବା କଏଦୀଙ୍କ ସଂଖ୍ୟା କମ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ପରେ କେନ୍ଦୁଝର ମୁଖ୍ୟ କାରାଗାରରୁ ୩୬ ଜଣ କଏଦୀଙ୍କୁ ପାରୋଲରେ ଯିବାପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ।
ଆଜି (ଶୁକ୍ରବାର) ଏହି ୩୬ ଜଣ ମଧ୍ୟରୁ ୫ ଜଣଙ୍କୁ ୯୦ ଦିନ ପାଇଁ ପାରୋଲରେ ଛଡା ଯାଇଥିବା ଜଣାପଡିଛି । ଏହି ପାଞ୍ଚ ଜଣଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ଛଡାଯାଇଛି । ଏହି ସୁଧାର ମୂଳକ କାର୍ଯ୍ୟରେ ଅନ୍ୟ ୩୧ ଜଣକୁ ତାଙ୍କ ପରିବାର ଲୋକଙ୍କ ଜିମାରେ ଛଡା ଯିବ ବୋଲି ଜେଲର ଅମୀୟ ବେହେରା ପ୍ରକାଶ କରିଛନ୍ତି । ପ୍ରକାଶ ଯେ କିଛି ଦିନ ପୂର୍ବରୁ ଜେଲ ମଧ୍ୟରୁ ୯ ଜଣ କଏଦୀଙ୍କ କୋରୋନା ପଜିଟିଭ ବାହାରିଥିଲା ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ