କେନ୍ଦୁଝର: ଆଜି(ରବିବାର) କେନ୍ଦୁଝର ଜିଲ୍ଲାରେ ୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଜଣ ମଧ୍ୟରୁ ଦୁଇ ଜଣ କବିତରା ଗ୍ରାମର ହୋଇଥିବା ବେଳେ ଜଣେ କୋରୋନା ଯୋଦ୍ଧା ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ।
କବିତରା ଗ୍ରାମର ଏହି 2 ଜଣ ଆକ୍ରାନ୍ତ ପୂର୍ବ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଅନ୍ୟ ଜଣେ କୋରୋନା ଯୋଦ୍ଧାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଚିହ୍ନଟ ପକ୍ରିୟା ଜାରି ରହିଛି । ଏହାସହ ସେ କାର୍ଯ୍ୟ କରୁଥିବା ସ୍ଥାନକୁ ସିଲ କରି ବିଶୋଧନ କରିବା ପକ୍ରିୟା ଆରମ୍ଭ ହୋଇଛି । ଏହା ଛଡା କେନ୍ଦୁଝର ସହରର ଦୋକାନ ବଜାର ଉପରେ କଟକଣା ଲାଗୁ ହୋଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଯଥା ଔଷଧ, ପେଟ୍ରୋଲ ପମ୍ପ, ତେଜେରାତି ଓ କ୍ଷୀର ଦୋକାନକୁ ଛାଡି ଅନ୍ୟ ସମସ୍ତ ଦୋକାନ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଏହା ଛଡା କମଲେକ୍ସରେ ଥିବା ଦୁଇଟି ଦୋକାନରୁ ଉର୍ଦ୍ଧ୍ବ ଦୋକାନ ଗୁଡିକ ମଧ୍ୟ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରଖି ପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ବିନା କାମରେ ଓ ବିନା ମାସ୍କ ଘରୁ ବାହାରିଲେ ଆଗାମୀ ଦିନରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେଇଛନ୍ତି । ଜିଲ୍ଲାରେ ଆଜି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୫ ହୋଇଥିବା ବେଳେ ସୁସ୍ଥ ହୋଇଥିବା ସଂଖ୍ୟା ୧୭୮ ହୋଇଛି । ଏଥି ମଧ୍ୟରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୭ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁୁମାର ମହାପାତ୍ର, ଇଟିଭି ଭାରତ