ଆନନ୍ଦପୁର: କେନ୍ଦୁଝରର ଘଷିପୁରା ଥାନା ଅଧିନସ୍ଥ ଭଣ୍ଡାରିଡିହା ପଞ୍ଚାୟତ ବସନ୍ତପୁରା ଗାଁରେ କାନ୍ଥ ପଡି ଯିବାରୁ ମଇନା ହାସଁଦା ନାମକ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କ ପାଖରେ ଶୋଇଥିବା ତାଙ୍କର ଦୁଇ ପୁଅ ସୁନାରାମ ଏବଂ ସିତାରାମ ଏ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଗୁରୁତର ମଇନା, ତାଙ୍କର ଦୁଇ ପୁଅଙ୍କ ସହ ରାତି ଶୋଇଥିବା ସମୟରେ ବର୍ଷା ଯୋଗୁଁ ଓଦା ହୋଇଥିବା ଘରର ମାଟିକାନ୍ଥ ହଠାତ୍ ଖସି ପଡିଥିଲା । ଫଳରେ ସେ କାନ୍ଥତଳେ ଚାପିହୋଇ ରହିଥିବା ବେଳେ, ଦୁଇ ପୁଅ ଅଳ୍ପକେ ବର୍ତ୍ତି ଯାଇଥିଲେ।
ତେବେ ଗୁରୁତର ଅବସ୍ଥାରେ ପଡୋଶୀ ଲୋକେ ସେମାନଙ୍କୁ ସେଠାରୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ମଇନାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର ଜଣାଇଛନ୍ତି।
ସେହିପରି ଆନନ୍ଦପରୁ ଥାନା ପଚାଙ୍ଗ ଗାଁରେ କାନ୍ଥ ପଡିବାରୁ ଇତିଶ୍ରୀ ନାମକ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ୪ ମାସର ଶିଶୁକନ୍ୟା ଏଥିରୁ ରକ୍ଷା ପାଇଯାଇଛି । ଗୁରୁତର ଅବସ୍ଥାରେ ପରିବାର ଲୋକେ ଇତିଶ୍ରୀଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ