କେନ୍ଦ୍ରାପଡ଼ା: ୨୪ ଘଣ୍ଟାପରେ ନଦୀ ଭିତରୁ ମିଳିଲା ପୁଅର ମୃତଦେହ (Kendrapara student commits suicide ) । ଘରୁ ଆଉ ପଇସା ଆସିବନି ଜାଣିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ପତ୍ରପୁର ପୋଲ ଉପରୁ ନଦୀକୁ ଡେଇଁ ଜୀବନ ହାରିଦେଲେ +୩ ୨ୟ ବର୍ଷର ଛାତ୍ର ପବିତ୍ର ସେଠୀ । ସୂଚନାନୁସାରେ ପବିତ୍ର ପଟ୍ଟାମୁଣ୍ଡାଇ କଲେଜରେ +୩ ୨ୟ ବର୍ଷରେ ପାଠ ପଢ଼ୁଥିଲେ । କଲେଜ ନିକଟରୁ ଘର ବହୁତ ଦୂର ଥିବାରୁ ହଷ୍ଟେଲରେ ରହି ପାଠ ପଢୁଥିଲେ ପବିତ୍ର ।
ପୁଅର ଭବିଷ୍ୟତ ଉଜ୍ଜଳ ପାଇଁ ବାପା, ମାଆ କିଛି ଚିନ୍ତା ନକରି ସମସ୍ତ ଖର୍ଚ୍ଚ କରୁଥିଲେ । ହେଲେ ପବିତ୍ର ପାଠପଢା ଖର୍ଚ୍ଚ ନାଁରେ ମିଛସତ କହି ଘରୁ ଅନେକ ଟଙ୍କା ଆଣୁଥିଲେ । ଏ ସମ୍ପର୍କରେ ପବିତ୍ରଙ୍କ ମାଆ ଜାଣିପାରିଥିଲେ । ପୁଅ ମିଛ କହି ପାଠ ପଢିବା ପାଇଁ ଯେତିକି ଟଙ୍କା ଦରକାର ତାଠୁ ଅଧିକ ଟଙ୍କା ନେଉଥିଲା । ତାଙ୍କ ପୁଅକୁ ଫୋନ କରି ତାଗିଦ କରିଥିଲେ ମାଆ । ‘‘ଏତେ ଟଙ୍କା ଦେଇହେବ ନାହିଁ ଆମେ ଆଉ ପାଠ ପଢାଇପାରିବୁ ନାହିଁ’’ ବୋଲି ମାଆ ପବିତ୍ରକୁ ରୋକଠୋକ କହିଦେଇଥିଲେ । ଏହାପରେ ପୁଅ ମାନସିକ ଚିନ୍ତାରେ ପଡ଼ିଯାଇଥିଲେ । ମାଆ କଥା ହୋଇସାରିବାର କିଛି ଘଣ୍ଟା ପରେ ପବିତ୍ର ପତ୍ରପୁର ପୋଲ ଉପରୁକୁ ଯାଇ ନଦୀକୁ ଡେଇଁ ପଡ଼ିଥିଲେ ।
କିଛି ସମୟ ପରେ ପବିତ୍ରଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ସେଠାରେ ପହଞ୍ଚି ଥିଲେ। ଆଉ ପୁଅ ଏଭଳି କରିଥିବା ଖବର ଜାଣିବା ପରେ ଚେତା ହରାଇ ବସିଥିଲେ ମାଆ । ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ଶୁକ୍ରବାର ପହଞ୍ଚିଥିଲା । ଅନେକ ଖୋଜାଖାେଜି କରିଥିଲା । କିନ୍ତୁ ପାଇନଥିଲେ ପବିତ୍ରକୁ । ଶନିବାର ସକାଳେ ପବିତ୍ରର ମୃତଦେହକୁ ଉଦ୍ଧାର କରିଥିଲେ ଅଗ୍ନିଶମବାହିନୀ ।
ପୁଅର ମୃତଦେହକୁ ଦେଖି କୋହ ସମ୍ଭାଳି ପାରିନଥିଲେ ବାପା, ମାଆ । କାହିଁକି ଏଭଳି ନିଷ୍ପତ୍ତି ନେଲୁ କହି ମାଆ ମୁଣ୍ଡ ପିଟି କାନ୍ଦୁଛି । ପୁଅକୁ ହରାଇ ମାଆ କୋଳ ଖାଲି ହେଇଯାଇଛି । କାରଣ ଆଉ ପବିତ୍ର ମୁହଁରୁ ଶୁଭିବନି ମାଆ ଡାକ । ସେପଟେ ଖବରପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ସମସ୍ତଙ୍କୁ ପଚରାଉଚରା ବି କରୁଛି । ଏହାସହ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ପବିତ୍ରଙ୍କୁ ହରାଇ ସାଙ୍ଗମାନେ ମଧ୍ୟ ସ୍ତବ୍ଧ ହୋଇଯାଇଛନ୍ତି । ଏକା ସାଙ୍ଗରେ ବସାଉଠା କରୁଥିବା ସାଙ୍ଗମାନେ ବି ଚୁପ ହୋଇଯାଇଛନ୍ତି । କାରଣ ଆଉ ତାଙ୍କ ସାଙ୍ଗ ଫେରିବନି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା