କେନ୍ଦ୍ରାପଡା: ପରକୀୟା ସମ୍ପର୍କକୁ ନେଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମଳିଛି କେନ୍ଦ୍ରାପଡା ଜମ୍ବୁ ସାମୁଦ୍ରିକ ଥାନା ଅଧିନ ଦକ୍ଷିଣ ଜମ୍ବୁ ଗାଁରେ । ଦୁଇ ଦୁଇଟି ସନ୍ତାନର ଜନନୀ ହୋଇଥିଲେ ସୁଦ୍ଧା ପର ପୁରୁଷ ସହ ସମ୍ପର୍କ ପାଇଁ ନିଜ ମଥାର ସିନ୍ଦୁର ପୋଛିଲା ସ୍ତ୍ରୀ ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ ପରିବାରବର୍ଗ ଓ ଗ୍ରାମବାସୀଙ୍କ ଦ୍ଵାରା ନ୍ୟାୟ ଦାବିରେ ଧାରଣା ଦିଆଯାଇଥିବା ବେଳେ ସ୍ବାମୀର ମୃତଦେହ ଆଜକୁ ୪ଦିନ ଧରି ପଡି ରହିଥିବା ନେଇ ସୂଚନା ମିଳିଛି ।
ଅଭିଯୋଗ ଅନୁଯାୟୀ, ଜମ୍ବୁ ଗ୍ରାମର ସୌମେନ୍ଦ୍ର ମଣ୍ଡଳଙ୍କ ପୁଅ ହେଉଛନ୍ତି ରାମକୃଷ୍ଣ ମଣ୍ଡଳ । ୬ବର୍ଷ ତଳେ ପ୍ରେମବିବାହ କରିଥିଲେ । ତେବେ ପରିବାରରେ ମନୋମାଳିନ୍ୟ କାରଣରୁ ରାମକୃଷ୍ଣ ନିଜ ପତ୍ନୀଙ୍କୁ ଧରି ଅନ୍ୟ ଏକ ସ୍ଥାନରେ ଘର କରି ରହୁଥିଲେ । ତେବେ ଏହି ସମୟରେ ରାମକୃଷ୍ଣଙ୍କ ପତ୍ନୀ ଦୁଇଟି ସନ୍ତାନ ଜନ୍ମ କରିଥିଲେ । ମାତ୍ର ନିଜ ଭିଣୋଇ ସହିତ ପରକୀୟା ସମ୍ପର୍କରେ ଥିଲେ ରାମକୃଷ୍ଣଙ୍କ ପତ୍ନୀ । ଏହାକୁ ନେଇ ଉଭୟ ପତି ପତ୍ନୀଙ୍କ ଭିତରେ ଅନେକ ସମୟରେ କଳିଝଗଡ଼ା ଲାଗି ରହୁଥିଲା । ତେବେ ସବୁଦିନ ପାଇଁ ରାସ୍ତାରୁ ରାମକୃଷ୍ଣଙ୍କୁ ହଟାଇ ଦେବା ଉଦ୍ଦେଶ୍ୟରେ ଗତ ୧୧ ତାରିଖ ଦିନ ରାମକୃଷ୍ଣଙ୍କ ଖାଇବାରେ ପତ୍ନୀ ବିଷ ଦେଇ ମାରି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଏନେଇ ଜମ୍ବୁ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି ସୌମେନ୍ଦ୍ର । ସେପଟେ ପତି ହନ୍ତା ପତ୍ନୀ ଓ ସହଯୋଗୀଙ୍କୁ ଗିରଫ ଦାବିରେ ରାସ୍ତାରୋକ ଜାରି ରହିଛି । ଏଥିଯୋଗୁଁ ଆଜକୁ ୪ଦିନ ହେଲା ରାମକୃଷ୍ଣଙ୍କ ମୃତଦେହ ଘରେ ପଡି ରହିଛି । ତେବେ ରାମକୃଷ୍ଣଙ୍କ ମୃତଦେହ ନିକଟରେ ପତ୍ନୀ ବସି ରହିଥିବା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ: ପ୍ରେମର ବାଟରେ କଣ୍ଟା ସାଜିଲା ସ୍ବାମୀ, ବିଷ ଦେଇ ହତ୍ୟା କଲା ସ୍ତ୍ରୀ !
ତେବେ ଗତକାଲି ରାମକୃଷ୍ଣଙ୍କ ମୃତଦେହକୁ ଦାହ ସଂସ୍କାର ପାଇଁ ନିଆ ଯାଉଥିବା ବେଳେ ସୌମେନ୍ଦ୍ର ଓ ଗାଁ ଲୋକେ ଏହାକୁ ବିରୋଧ କରି ମୃତଦେହକୁ ଧରି ଜମ୍ବୁ ରାସ୍ତା ଉପରେ ବସିଥିଲେ । ଏହି ହତ୍ୟା ଘଟଣାର ତଦନ୍ତ କରି ଅଭିଯୁକ୍ତ ଓ ସହଯୋଗୀ ମାନଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ମୃତଦେହକୁ ସଂସ୍କାର କରାଇ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ । ଏନେଇ ମୃତ ରାମକୃଷ୍ଣଙ୍କ ସଢୁ ଓ ଦୁଇ ଜଣ ଶାଳକ ନାମରେ ଅଭିଯୋଗ ହୋଇଥିବା ବେଳେ ସେମାନେ କେଉଁଆଡେ ଫେରାର ହୋଇ ଯାଇଥିବା ଜଣାପଡିଛି । ଅଭିଯୁକ୍ତଙ୍କ ଗିରଫ ଦାବୀରେ ଗାଁର ଶହ ଶହ ମହିଳା ହାତରେ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଛନ୍ତି । ସେପଟେ ଗ୍ରାମବାସୀ ରାସ୍ତାରେ ନିଆଁ ଜାଳି ରାସ୍ତାରୋକ କରିଛନ୍ତି । ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଜମ୍ବୁ ଘାଟକୁ ବନ୍ଦ ରଖାଛନ୍ତି ଗ୍ରାମବାସୀ । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମଖୀନ ହେଉଥିବା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ: ପ୍ରେମ ପାଇଁ ସ୍ତ୍ରୀ ପୋଛିଲା ମଥା ସିନ୍ଦୁର, ପ୍ରେମିକ ସହ ଅଭିଯୁକ୍ତ ପତ୍ନୀକୁ ବାନ୍ଧିଲା ପୋଲିସ
ସୂଚନାଯୋଗ୍ୟ ଗତ ଅଗଷ୍ଟ ମାସରେ ରାଜକନିକା ଥାନା ଅଧିନ ଭାମଣ୍ଡା ଗାଁରେ ନିଜ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ପତ୍ନୀ ଜଣଙ୍କ ଏବେ ଜେଲ ହାଜତରେ ରହିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା