କେନ୍ଦ୍ରାପଡା: ଗ୍ରାମରେ ଅନୈତିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ କରି ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ । କେନ୍ଦ୍ରାପଡା଼ ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମରେ କିଛି ଯୁବତୀଙ୍କୁ ନେଇ ଆପତ୍ତିଜନକ ତଥା ଅନୈତିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ପଶ୍ଚିମେଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଗ୍ରାମବାସୀ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ଓ ଏସଡିପିଓଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର ଜନୈକା ମହିଳା ଅନ୍ୟ ଗ୍ରାମର କଲେଜରେ ପଢୁଥିବା ନାବାଳିକା ଝିଅ ଓ ବିବାହିତା ମହିଳାମାନଙ୍କୁ ଡକାଇ ତାଙ୍କ ଘରେ ଆପତ୍ତିଜନକ ତଥା ଅନୈତିକ କାର୍ଯ୍ୟ କରୁଛନ୍ତି । ଏହା ବ୍ୟତୀତ ବିଭିନ୍ନ ପ୍ରକାରର ନିଶା କାରବାର କରିବା ଏମିତିକି ବିଭିନ୍ନ ସମୟରେ ସଂପୃକ୍ତ ମହିଳା ଜଣଙ୍କ ନାବାଳିକାମାନଙ୍କୁ ଚାଲାଣ କରୁଥିବା ମଧ୍ୟ ପାଟକୁରା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣା ସମ୍ପର୍କରେ ଗ୍ରାମବାସୀମାନେ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଠାରୁ ଆରମ୍ଭ କରି ଏସ୍ପି, ୫ଟି ସଚିବ, ଗୃହ ବିଭାଗ, ପୋଲିସ ଡିଜି ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ।
ଏହାପରେ ପୋଲିସ ବିଭିନ୍ନ ସମୟରେ ସେଠାରେ ଚଢାଉକରି କେତେକ ଯୁବତୀଙ୍କୁ ଉଦ୍ଧାର କରିବା ସହ ରାକେଟ ସମ୍ପର୍କରେ ସ୍ପଷ୍ଟ କରିଥିଲା । ସଂପୃକ୍ତ ମହିଳା ଅଭିଯୋଗକାରୀମାନଙ୍କୁ ବିଭିନ୍ନ ସମୟରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଥାନାରେ ମିଛ କେସ କରିବାକୁ ଧମକ ଦେଉଥିବା ଗ୍ରାମବାସୀ କହିଛନ୍ତି । ଗ୍ରାମର ପ୍ରାୟ ୨୨ ଜଣଙ୍କ ପୁରୁଷ ଓ ମହିଳାଙ୍କ ନାମରେ ଉକ୍ତ ମହିଳା ଜଣଙ୍କ ବିଭିନ୍ନ ମିଥ୍ୟା ମାମଲା କରିଥିବା ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳ ଓ ଏସଡିପିଓଙ୍କୁ ଭେଟି ନିବେଦନ କରିଛନ୍ତି।
ଇଟିଭି ଭାରତ, କେନ୍ଦ୍ରାପଡା