କେନ୍ଦ୍ରାପଡା: ଏହି ଦୃଶ୍ୟ ଦେଖିଲେ ଆପଣ ଭାବୁଥିବେ କୌଣସି ପୋଲିସ ବିଭାଗର ପ୍ରଶିକ୍ଷଣ ଶିବିର କ୍ୟାମ୍ପ ଚାଲୁଛି । ଅବିକଳ ସାମରିକ ବାହିନୀ ଓ ପୋଲିସ ବାହିନୀ ଭଳି ଶାରିରୀକ ତାଲିମ ମଧ୍ୟ ଦିଆଯାଉଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ହେଉଛି ଏମିତି ଏକ ଅନୁଷ୍ଠାନ ନା ଏଠାରେ ଦେବାକୁ ପଡୁଛି କୌଣସି ଦେୟ ନା ରହିଛି କୌଣସି ସମସ୍ୟା। ଯଦି ପାଠ ପଢିବାର ଆଗ୍ରହ ଓ ଚାକିରି କରିବା ପାଇଁ ଇଛା ଅଛି ତେବେ କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର ଏହାର ସମାଧାନ । ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ରାଜଗଡ଼ ପଞ୍ଚାୟତର ବିଣାପାଣୀ ଠାରେ ଥିବା କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ରର। ସାଧୁ ବାୟାବାବାଙ୍କ ନାମରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଗଢି ଉଠିଛି ଏହି ସ୍ବେଛାସେବୀ ଅନୁଷ୍ଠାନ। ଯେଉଁଠି ପାରିବାରିକ ଅଭାବ ଅନଟନ ଯୋଗୁଁ ପଛଘୁଞ୍ଚା ଦେଇଥିବା ଆଖପାଖ ୩ ରୁ ୪ ଗୋଟି ପଞ୍ଚାୟତର ମେଧାବୀ ଛାତ୍ରଛାତ୍ରୀ ନେଉଛନ୍ତି ତାଲିମ । ଏପରିକି ଏଠାରୁ ପାଠ ପଢି 100 ରୁ ଅଧିକ ଛାତ୍ରଛାତ୍ରୀ ଚାକିରି ମଧ୍ୟ ପଇସାରିଲେଣି ।
ଛାତ୍ରଛାତ୍ରୀ ହୁଅନ୍ତୁ କିମ୍ବା ଅଭିଭାବକ ହୁଅନ୍ତୁ ସମସ୍ତଙ୍କର ଇଛା ଥାଏ ଯେଉଁ ସ୍କୁଲ କିମ୍ବା ଟିଉସନରେ ଭଲ ଶିକ୍ଷକ ଥିବେ ସେହିଠାରେ ନିଜ ପୁଅଝିଅକୁ ପଢ଼ିବା ପାଇଁ ଛାଡିବେ। କିନ୍ତୁ କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ରରେ କୌଣସି ଆଗଧାଡିର ଓ ମୋଟା ଅଙ୍କର ବେତନ ନେଇ ଶାରୀରିକ ଶିକ୍ଷା ଦେବାପାଇଁ କୌଣସି ଶିକ୍ଷକଙ୍କ ନିଯୁକ୍ତି ହୋଇ ନାହାଁନ୍ତି । ବରଂ ଏହି କେନ୍ଦ୍ରରୁ ପ୍ରଶିକ୍ଷଣ ନେଇ ଯେଉଁମାନେ ସଫଳତା ପାଇଛନ୍ତି ବା ଚାକିରି କରିଛନ୍ତି ସେମାନେ ଛୁଟିରେ ଆସିଲେ ପ୍ରଶିକ୍ଷଣ ଦେଇଥାନ୍ତି । ଯେଉଁମାନେ ନିକଟରେ ଚାକିରି ପାଇଛନ୍ତି ସେମାନେ ଡ୍ୟୁଟି ପରେ ସମୟ ବାହାର କରି ଶିକ୍ଷା ଦାନ କରିଥାନ୍ତି। ଏହାସହ ଶିକ୍ଷାରତ ଛାତ୍ରଛାତ୍ରୀ କୌଣସି ଅସୁବିଧାରେ ନ ପଡିବେ ସେଥିପାଇଁ ଆର୍ଥିକ ସହଯୋଗ ବି କରିଥାନ୍ତି। ଯେଉଁଥିପାଇଁ ମହାକାଳପଡା ବ୍ଲକର ଅଳାଇଲୋ,ରାଜଗଡ଼ ପଞ୍ଚାୟତ ଓ ମାର୍ଶାଘାଈ ବ୍ଲକର କୁହୁଡି, ଅଙ୍ଗୁଳାଇ ପଞ୍ଚାୟତରେ କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ରଟି ସୁନାମଧନ୍ୟ ଅନୁଷ୍ଠାନ ଭାବେ ଗଢ଼ି ଉଠିଛି।
କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ରରେ କେବଳ ପାଠପଢ଼ା ଯାଏ ଓ ଶାରିରୀକ ଶିକ୍ଷା ଦିଆଯାଏ ତାହା ନୂହେଁ। ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ସୁନ୍ଦର ବଗିଚା ତିଆରି କରିବା, ବିଭିନ୍ନ ଗଛର ଚାରା ପ୍ରସ୍ତୁତ କରାଯାଇ ମାଗଣାରେ ଚାରା ବଣ୍ଟନ କରିବା ଆଦି କାର୍ଯ୍ୟ ମଧ୍ୟ କରିଥାନ୍ତି ପ୍ରଶିକ୍ଷାର୍ଥୀ। ମହାମାରୀ ସମୟରେ ଏହି କେନ୍ଦ୍ର ପକ୍ଷରୁ ଏକ ମାସ ଧରି ୪ଟି ପଞ୍ଚାୟତର ଭିକାରୀ, ବିକୃତ ମସ୍ତିସ୍କ ଏବଂ ନିସହାୟଙ୍କୁ ମଧ୍ୟାହ୍ନ ଭୋଜନ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଥିଲା । ଏହି ଅନୁଷ୍ଠାନ ଦ୍ବାରା ବିଭିନ୍ନ ଅଞ୍ଚଳରେ ଅଗ୍ନିକାଣ୍ଡ ହେଲେ ଅଗ୍ନିବିପନ୍ନ ପରିବାରକୁ ସହାୟତାର ହାତ ବଢାଉ ଥିବାର ଦେଖିବାକୁ ମିଳେ। ବିଭିନ୍ନ ସମୟରେ ଏହି ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ର ମାନେ ରକ୍ତ ଦାନ କରୁଥିବାର ଦେଖିବାକୁ ମିଳେ । ଯେଉଁଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ ଗଢ଼ି ଉଠିଛି କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର।
କିଛି ଛାତ୍ରଛାତ୍ରୀ ଅଭାବ ଅନଟନ ପାଇଁ ଅଧାରୁ ପାଠ ପଢ଼ିବା ଓ ଚାକିରି କରିବା ପାଇଁ ରଖିଥିବା ଆଶା ହରାଉଥିବା ବେଳେ ଆଶାର ଆଲୋକ ଯୋଗାଇ ଦେଇଛି କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ