କେନ୍ଦ୍ରାପଡା: ଓଡିଶାର ଗଣପର୍ବ ରଜରେ ଆଉ ରହିନାହିଁ ସେଇ ପୁରୁଣା ମଜା । ପୁର୍ବେ ରଜ ସମୟରେ ଝିଅମାନେ ଏକାଠି ହୋଇ ସଜବାଜ ହେବା ସହ ରଜଗୀତ ଗାଇ ଦୋଳି ଖେଳୁଥିଲେ । ଅନ୍ୟପଟେ ଯୁବକମାନେ ତାସ ମାଡ ଓ କବାଡି ଖେଳି ରଜର ଉଲ୍ଲାସ ମନାଉଥିଲେ । କିନ୍ତୁ ଏବେ ସମୟ ବଦଳିବା ସହ ବଦଳିଯାଇଛି ଏହି ପାରମ୍ପରିକ ରଜପର୍ବର ପରିଭାଷା । ଏବେ ଏକାଠି ହୋଇ ଖେଳିବା ବଦଳରେ ଘରେ ବସି ମୋବାଇଲ ଗେମରେ ମାତିଛନ୍ତି ଯୁବପୀଢି । ତେଣେ ଆଗରୁ ରଜ ଅବସରରେ ପାରିବାରିକ ମିଳନ ହେଉଥିବା ବେଳେ ଏବେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବା ସହ କେଉଁଠି ନା କେଉଁଠି ଅଟକି ଯାଇଛି ପୁରୁଣା ବିଧି ।
ମୌସୁମୀର ଆଗମନରେ ଧରା ପୃଷ୍ଠ ଚହକି ଉଠିଥିବା ବେଳେ ରଜଶିଳା ହୁଅନ୍ତି ଧରିତ୍ରୀ ମା’ । ନାରୀର ମାସିକ ଧର୍ମ ପାଳନ ଉଦ୍ଦେଶ୍ୟରେ ଏହି ପର୍ବରେ ଝିଅ ବୋହୂମାନଙ୍କୁ ରାଣୀ ପରି ସଜବାଜ ହୋଇ ମଉଜ କରିବା ପାଇଁ କୁହାଯାଇଥାଏ । ଏହି ସମୟରେ କୌଣସି କାର୍ଯ୍ୟ କରିବାରୁ ମହିଳା ଓ ଝିଅମାନଙ୍କୁ ବାରଣ କରାଯାଇଥାଏ । ସେପଟେ ରଜ ପରେ ଚାଷ କାର୍ଯ୍ୟ ଆରମ୍ଭ ହେବା ଖୁସିରେ ତାସ ଖେଳ ଓ କବାଡି ଖେଳି ଉଲ୍ଲାସ ମନାଇଥାଆନ୍ତି ଛୁଆଠୁ ବୁଢା । ଏହା ଏକ ଏପରି ପର୍ବ ଯାହା ଛୁଆଠୁ ବୁଢା, ଧନୀଠୁ ଗରିବ ସଭିଏଁ ଏକାଠି ହୋଇ ପାଳନ କରିଥାଆନ୍ତି । ଘରେ ଘରେ ପିଠାପଣାର ଆସର, ରଜ ପାନର ମହକ ଓ ଦୋଳି ସାଜସଜ୍ଜା ସହ ବେଶ ଉତ୍ସାହର ସହ ପାଳନ ହୁଏ ପାରମ୍ପରିକ କୃଷ୍ଟିଭିତ୍ତିକ ଗଣପର୍ବ ରଜ ।
ହେଲେ ଆଧୁନିକତା ଭିତରେ କେଉଁଠି ଚାପି ହୋଇ ରହିଯାଇଛି ପୁରୁଣା ନୀତି । ନା ଆଉ ଆଗଭଳି ରଜ ହେଲେ ଗାଁ ଦାଣ୍ଡରେ ଆତ୍ମୀୟଙ୍କ ଭିଡ ଜମୁଛି ନା ଶୁଭୁଛି ପୁଚି ଓ କାଚ କଉଡି ଭଳି ଖେଳର ନାମ । ବର୍ତ୍ତମାନ କେବଳ ହ୍ବାଟ୍ସଆପ୍ ଓ ଫେସବୁକ ପରି ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବା ସହ ମୋବାଇଲ ଗେମ ଖେଳି ରଜ ପାଳିବା ଆରମ୍ଭ କରିଛନ୍ତି ଆଜିର ପୀଢି । ସେପଟେ କୋରୋନା ମାଡରେ ଚଳିତବର୍ଷ ରଜର ମଉଜ ଅଧିକ ଫିକା ପଡିଥିବା ପ୍ରକାଶ କରିଛନ୍ତି ରାଜ୍ୟବାସୀ ।
ଗୋଟିଏ ପଟେ ଆଧୁନିକତାର ଚାକଚକ୍ୟ ପରମ୍ପରା ଉପରେ କାୟା ବିସ୍ତାର କରୁଥିବା ବେଳେ ଅନ୍ୟପଟେ କୋରୋନାରୁ ସୁରକ୍ଷା ପାଇଁ ଲାଗୁ କଟକଣା ଚଳିତବର୍ଷର ରଜକୁ କରିଦେଇଛି ଆହୁରି ଫିକା । ଏମିତିରେ ଓଡିଶାର ଗଣପର୍ବ ନିଜ ଅସ୍ତିତ୍ବ ହରାଇବା ପୂର୍ବରୁ ଯୁବପୀଢିଙ୍କୁ ଆଗେଇ ଆସି ନିଜ ଦାୟିତ୍ବ ବହନ କରିବାକୁ ହେବ । ନହେଲେ ଦିନ ଆସିବ କେବଳ ଇତିହାସ ପୃଷ୍ଠାରେ ସୀମିତ ରହିଯିବ ରଜ ପରମ୍ପରା ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ