କେନ୍ଦ୍ରାପଡ଼ା: ରାଜନଗର ବ୍ଲକ ଡେରା ପଞ୍ଚାୟତର ଗୋଖଣୀ ଗାଁରେ ଭୋଟ୍ ବେଳେ ପୋଲିସ ଜନତା ମୁହାଁମୁହିଁ ଘଟଣାରେ ଗିରଫ ହେଲେ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଗିରଫ କରିଛି ରାଜନଗର ପୋଲିସ । ବୁଥରେ ଭୋଟର ତାଲିକାରେ ନାମ ନଥିବା ବ୍ୟକ୍ତି ଏଜେଣ୍ଟ ରହିଥିବା ଘଟଣାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ଓ ପରେ ପୋଲିସ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଘଟଣା ସ୍ଥଳରେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରୁଥିବା ସମୟରେ ଗୋଖଣୀ ଗାଁର ଲକ୍ଷ୍ମୀକାନ୍ତ ଦାସ ଡ୍ୟୁଟିରେ ଥିବା ପୋଲିସ ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ହାତରୁ ପ୍ଲାଷ୍ଟିକ ପାଇପ ଛଡାଇ ପୋଲିସକୁ ମରଣାନ୍ତକ ଆକ୍ରମଣ କରିଥିଲେ ।
ଏହି ଘଟଣାରେ ଗତକାଲି ରାତିରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଡେରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ଅନ୍ଯ ଜଣକୁ ଉଠାଇ ଆଣି ପଚରାଉଚରା କରୁଥିଲା । ଅଟକ ରଖିଥିବା ଏହି ଦୁର୍ବୃତ୍ତଙ୍କୁ କୋର୍ଟ ଚାଲାଣ କରିବା ସମୟରେ ଏମାନଙ୍କ ଗିରଫ ପ୍ରତିବାଦରେ ଶତାଧିକ ଲୋକେ ଥାନା ଆଗରେ ପୋଲିସକୁ ଅଟକାଇଥିଲେ ।
ଧିରେଧିରେ ଉତ୍ତେଜନା ବଢିବାରୁ ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଏସଡିପିଓ ଓ ପଟ୍ଟାମୁଣ୍ଡାଇ ଥାନା ଆଇଆଇସିଙ୍କ ନେତୃତ୍ବରେ ଗୋଟିଏ ପ୍ଲାଟୁନ ଫୋର୍ସ ପହଞ୍ଚିଥିଲେ । ଏହାପରେ ମୁଖ୍ଯ ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ଦାସକୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଫୋର୍ସର କଡା ସୁରକ୍ଷା ଭିତରେ କୋର୍ଟଚାଲାଣ କରିଛି । ସେପଟେ ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଖୋଜୁଥିବା ନେଇ ପଟ୍ଟାମୁଣ୍ଡାଇ ଏସଡିପିଓ କହିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ